ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର : ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି । ଏ ନେଇ ସୁଚନା ଦେଇଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ପରି ବିଜୁ ପଟ୍ଟନାୟକଙ୍କ ନାମରେ କ୍ରୀଡ଼ା ପୁରସ୍କାର ଦିଆଯିବ ।
ଏହି କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ରାଜ୍ୟ କ୍ରୀଡ଼ା ପୁରସ୍କାର କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏଭଳି ଆଲୋଚନା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ । ବିଜେପି ସରକାର ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି ।
ଏଥିରେ କୌଣସି ଦ୍ବିମତ ନାହିଁ। ପୂର୍ବପରି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଜାରି ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇବା ପାଇଁ ୨୦୦୧-୨୦୦୨ ମସିହାରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଏହା କ୍ରୀଡ଼ା କ୍ଷେତ୍ରରେ କ୍ରୀଡ଼ାବିତ୍ଙ୍କର ଅତୁଳନୀୟ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଉଦ୍ଦିଷ୍ଟ ।

ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ଚାରୋଟି ଭିନ୍ନ ଶ୍ରେଣୀରେ କ୍ରୀଡା ଏବଂ ଖେଳର ଉଲ୍ଲେଖନୀୟ ପ୍ରଦର୍ଶନ, କ୍ରୀଡ଼ା ଏବଂ ଖେଳର ପ୍ରୋତ୍ସାହନରେ ଆଜୀବନ ସଫଳତା, କୋଚିଂରେ ଉତ୍କର୍ଷତା ଏବଂ କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଇଥାଏ।
ସୁଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳାଇ ଦେଇଥିଲେ। ଏହାର ନୂଆ ନାଁ ରଖାଯାଇଛି 'ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ'।ଏହା ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଥିଲା ।












Click it and Unblock the Notifications