ନବଯୌବନ ଦର୍ଶନର ମହତ୍ତ୍ଵ କ'ଣ ?
ପୁରୀ: ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ପର୍ଯ୍ୟନ୍ତ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ତେବେ ସୁସ୍ଥ ହେଲା ପରେ ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହାଯାଏ।

ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ଦେଖାଯାଏ। ।
ଦେବସ୍ନାନ ପୂର୍ଣ୍ଣିମା ରାତ୍ରରେ ସ୍ନାନ ବେଦୀରୁ ପହଣ୍ଡି ବିଜେରେ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନ ବିରାଜମାନ କରିଥାନ୍ତି। ଅଣସର ତାଟି ସମ୍ମୁଖରେ ତିନୋଟି ପଟି ଚିତ୍ର ପ୍ରତିମା ରହିଥାଏ । ଏହି ପଟି ଠାକୁର ମଧ୍ୟରେ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅନ୍ତର୍ଭୁକ୍ତ। ପରମ୍ପରା ଅନୁଯାୟୀ ଏହି ପଟି ଦିଅଁ ଦଶାବତାର ଠାକୁର ରୂପେ ପରିଚିତ। ଠାକୁର ଅଣସର ଘରେ ରହିଲା ପରେ ପଟିଦିଅଁକୁ ପୂଜା ହୁଏ।












Click it and Unblock the Notifications