ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଜୟନାରାୟଣଙ୍କ ମନ୍ତବ୍ୟକୁ ନିନ୍ଦା କଲା ଓଡ଼ିଶା ପୋଲିସ ସେବା ସଂଘ
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନିନ୍ଦା କଲା ଓଡ଼ିଶା ପୋଲିସ ସେବା ସଂଘ । ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କ୍ଷୋଭ ପ୍ରକାଶ କରିଛି ସଂଘ ।

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନିନ୍ଦା କଲା ଓଡ଼ିଶା ପୋଲିସ ସେବା ସଂଘ । ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କ୍ଷୋଭ ପ୍ରକାଶ କରିଛି ସଂଘ । ଜଣେ ବ୍ୟକ୍ତିଙ୍କୁ ନେଇ ପୂରା ପୋଲିସ ବିଭାଗକୁ ଆକ୍ଷେପ ଠିକ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଗଣତନ୍ତ୍ରରେ ସମସ୍ତଙ୍କର ମନ୍ତବ୍ୟ ଦେବାର ଅଧିକାର ରହିଛି । ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ପୋଲିସଙ୍କୁ କରିଛି ମର୍ମାହତ । ବାରମ୍ବାର ପୋଲିସକୁ ସମାଲୋଚନା କରିବାରୁ ଜୟନାରାୟଣ ମିଶ୍ର କ୍ଷ୍ୟାନ୍ତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନେ କହିଛନ୍ତି ।
ସଂଘ ସଭାପତି ରତିକାନ୍ତ ମହାପାତ୍ର ଓ ରଣଜିତ ନାୟକ କହିଛନ୍ତି, ଜୟ ନାରାୟଣଙ୍କ ଏଭଳି ମନ୍ତବ୍ୟ ଦ୍ୱାରା ପୋଲିସର ମନୋବଳ ଭାଙ୍ଗିଯିବ। ଓଡ଼ିଶା ପୋଲିସର ଇତିହାସ ବେଶ ସୁଦୃଢ଼। ନକ୍ସଲ ଦମନ, ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଆଦି କ୍ଷେତ୍ରରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ ଅବଦାନ ରହିଛି । ଅନେକ ପୋଲିସ ସେବା କରିବା ବେଳେ ସହିଦ୍ ହୋଇଛନ୍ତି। ପୋଲିସ ବିଭାଗର କାର୍ଯ୍ୟକୁ ଉନ୍ନତ କରିବା ନିମନ୍ତେ ମତ ରଖିବା ଠିକ୍ ହେବ । କିନ୍ତୁ ଜଣେ ପୁଲିସ କର୍ମଚାରୀଙ୍କ ତ୍ରୁଟି ନିମନ୍ତେ ପୂରା ବିଭାଗକୁ ଆକ୍ଷେପ କରିବା ଠିକ୍ ନୁହେଁ । ଏଭଳି ଆପତ୍ତିଜନକ ମନ୍ତବ୍ୟରୁ ଜୟନାରାୟଣଙ୍କୁ ନିବୃତ୍ତ ରହିବା ପାଇଁ ସଂଘ ଦାବି କରୁଛି । ତେବେ ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ ହେଉଥିବାରୁ ଖୁବ୍ଶୀଘ୍ର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ବାଣ ଛାଡ଼ିଛନ୍ତି। ପିସିସି ସଭାପତି ପଚାରିଛନ୍ତି, ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ? କ୍ରାଇମବ୍ରାଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କର କାହାର ଭରସା ନାହିଁ କି ? ସିଟିଂ ଜଜଙ୍କ ତତ୍ତ୍ୱାବଧାନ କିମ୍ବା ସିବିଆଇ ତଦନ୍ତ ହେଲେ ଘଟଣା କ'ଣ ଜଣାପଡ଼ିବ ? ପ୍ରଭୁ ଜଗନ୍ନାଥଙ୍କ ଉପରେ ସବୁ ଛାଡ଼ିଦେଲେ ଚଳିବନି । ନବଙ୍କ ହତ୍ୟା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି। ପାଇଖାନା ଟାଙ୍କିରୁ ନଷ୍ଟ ହୋଇନଥିବା ଚିଠି ବାହାରିବା ଗପ ଭଳି ଲାଗୁଛି । ହତ୍ୟା ମାମଲାକୁ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପାଟି ଖୋଲନ୍ତୁ । ନଚେତ୍ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି ।
ସେହିପରି ତଦନ୍ତ ପ୍ରକ୍ରିୟାକୁ ନେଇ କଂଗ୍ରସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଣି ରାଜ୍ୟ ସରଙ୍କ ଉପରେ ବର୍ଷିଛନ୍ତି। ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱାବଧାନରେ SIT ଗଠନ କରିବାକୁ ସେ ଦାବି କରିଛନ୍ତି । ଏହାସହ ଓଡ଼ିଶା ପୋଲିସର ତଦନ୍ତ ଉପରେ ତାଙ୍କର ବିଶ୍ୱାସ ନଥିବା କହିଛନ୍ତି । ନବ ଦାସ ହତ୍ୟା ମାମଲାରେ CBI ତଦନ୍ତ କଲେ ବି କିଛି ମିଳିବନି' । ନବ ଦାସ ହତ୍ୟା ମାମଲାରେ ସମସ୍ତେ ଚାହାନ୍ତି ନିରପେକ୍ଷ ତଦନ୍ତ ବୋଲି କହିଛନ୍ତି ନରସିଂହ ।












Click it and Unblock the Notifications