ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ? ମିଳିଲା ଉତ୍ତର !
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ? ହତ୍ୟାର ୮ ଦିନ ପରେ କାରଣ ଅସ୍ପଷ୍ଟ ରହିଥିବା ବେଳେ ଜେରା ବେଳେ ଗୋପାଳ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ଦେଇଥିବା କୁହାଯାଉଛି ।

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ? ହତ୍ୟାର ୮ ଦିନ ପରେ କାରଣ ଅସ୍ପଷ୍ଟ ରହିଥିବା ବେଳେ ଜେରା ବେଳେ ଗୋପାଳ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ଦେଇଥିବା କୁହାଯାଉଛି ।
କ୍ରାଇମବ୍ରାଞ୍ଚକୁ ଗୋପାଳ କୁଆଡେ ଜେରା ବେଳେ କହିଛି ଯେ, 'ରାଜ୍ୟ ସରକାର ଭଲ କାମ କରୁଛନ୍ତି । କିନ୍ତୁ କିଛି ନେତା ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏହି ନେତାମାନେ ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଦୁଃଖ ଦେଉଛନ୍ତି । ଆଉ ଭୟଭୀତ କରି ରଖିବାକୁ ନିର୍ଯାତନା ଦେଉଛନ୍ତି । ଏହି ନେତାଙ୍କ ମଧ୍ୟରେ ଜଣେ ଥିଲେ ମନ୍ତ୍ରୀ ନବ ଦାସ । ତେଣୁ ନବ ଦାସଙ୍କୁ ମାରି ଦେଲି'।
ଅନ୍ୟପଟେ ଗୋପାଳଙ୍କ ପକେଟରେ ଯେଉଁ କାଗଜ ରହିଥିଲା, ସେଥିରେ ସେ ଏସବୁ କଥା ଲେଖିଥିବା କ୍ରାଇମବ୍ରାଞ୍ଚକୁ କହିଥିବା ସୂଚନା ମିଳିଛି । ନବ ଦାସଙ୍କ ସହିତ ତାଙ୍କର କୌଣସି ଶତ୍ରୁତା ନଥିଲା, ହେଲେ ସେ ତାଙ୍କୁ ଭଲ ପାଉ ନଥିବା କ୍ରାଇମବ୍ରାଞ୍ଚକୁ କହିଥିବା କୁହାଯାଉଛି । ନବ ଦାସଙ୍କୁ ହତ୍ୟା କରିବା ପାଇଁ ଗତ ୪ ମାସ ହେଲା ସୁଯୋଗ ଅପେକ୍ଷାରେ ଥିଲା । ଶେଷରେ ଗତ ୨୯ ତାରିଖ ରବିବାର ଦିନ ସେ ନବ ଦାସଙ୍କୁ ହତ୍ୟା କରିଥିଲା ।
ହେଲେ ଏହାରି ଭିତରେ ଆଉ କିଛି ସୂଚନା ଆସିଛି। ଜିଲ୍ଲାର ଅନ୍ୟ କିଛି ପୋଲିସଙ୍କ ସୂଚନା ଅନୁଯାୟୀ, ମନ୍ତ୍ରୀଙ୍କ ଆଖପାଖରେ ଡ୍ୟୁଟି ନଥିଲେ ମଧ୍ୟ ଘୁରି ବୁଲୁଥିଲେ ଗୋପାଳ। ସେତେବେଳେ କିନ୍ତୁ ଗୋପାଳଙ୍କ ହାବଭାବ ସ୍ବାଭାବିକ ଥିଲା । ସେପ୍ଚେମ୍ବର ୧୮ ତାରିଖ ଦିନ ନୂଆଖାଇ ବେଳେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଗୋପାଳଙ୍କ ଡ୍ୟୁଟି ପଡିଥିଲା। ଆଉ ସେ ମଧ୍ୟ ଡ୍ଯୁଟି କରୁଥିଲେ। ହେଲେ ବୋଧହୁଏ କ୍ଲୋଜ ରେଞ୍ଜରେ ଗୁଳି କରିବାକୁ ଗୋପାଳ ସୁଯୋଗ ପାଇ ନଥିଲେ। ତେଣୁ ସୁଯୋଗ ଅପେକ୍ଷାରେ ଥିଲେ। ସେହିପରି ବ୍ରଜରାଜନଗରରେ ନିକଟରେ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା। ସେଦିନ କିନ୍ତୁ ଗୋପାଳ ଦାସଙ୍କର ଡ୍ୟୁଟି ଅନ୍ୟତ୍ର ପଡିଥିଲା। ତେଣୁ ଗୋପଳ ବୋଧହୁଏ ନିଜ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଥିଲେ।
ସେହିପରି ଗତ ରବିବାର ଦିନ ବ୍ରଜରାଜନଗରର ତତ୍କାଳୀନ ଆଇଆଇସିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଆଇଆଇସି ମନ୍ତ୍ରୀଙ୍କୁ ଗ୍ରହଣ କରିବାକୁ ତାଙ୍କ କାର ଡୋର ପାଖରେ ଛିଡା ନହୋଇ ଡ୍ରାଇଭରଙ୍କ ଡୋର ପାଖରେ ଛିଡା ହୋଇଥିଲେ। ଯେଉଁଥିପାଇଁ ଅଭିଯୁକ୍ତ ଗୋପାଳକୁ ସଠିକ ସୁଯୋଗ ମିଳିଗଲା ବୋଲି କୁହାଯାଉଛି ।
ସେପଟେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଅଧିକାରୀ ମାରାଥନ ଜେରା କରୁଛନ୍ତି । ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜାଣିବା ପାଇଁ ତଦନ୍ତ ପରିସରକୁ ଆହୁରି ବ୍ୟାପକ କରିଛି କ୍ରାଇମବ୍ରାଞ୍ଚ । ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରାଯାଉଛି । ଏସସିବିର ୫ ଜଣ ବିଶେଷଜ୍ଞ ଝାରସୁଗୁଡ଼ାରେ ପହଞ୍ଚି ଅଭିଯୁକ୍ତ ଗୋପାଳର ମାନସିକ ଅବସ୍ଥାର ଟିକିନିକ ପରୀକ୍ଷା କରୁଛନ୍ତି । ବିଶେଷଜ୍ଞ ଦଳ ଗୋପାଳର ପୂର୍ବ ପ୍ରେସ୍କ୍ରିପସନକୁ ମଧ୍ୟ ଯାଞ୍ଚ କରିଛନ୍ତି । ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିବା ସମୟରେ ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି । ଏହି ଭିଡିଓ ରେକର୍ଡିଂକୁ ବିଶେଷଜ୍ଞଙ୍କ ଦ୍ୱାରା ତର୍ଜମା କରାଯିବ । ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇ ମେଡିକାଲ ବୋର୍ଡର ରିପୋର୍ଟ ପରେ ହିଁ ସିନ୍ ରିକ୍ରିଏସନ୍ କରାଯିବା ସମ୍ଭାବନା ରହିଛି ।












Click it and Unblock the Notifications