'ମୋ ସ୍କୁଲ' କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୧୫୮୯ ପ୍ରକଳ୍ପ ପାଇଁ ୩୧ କୋଟି ବ୍ୟୟ ଅଟକଳ, ନବମ ଓ ଦଶମ ପାଇଁ ସ୍ମାର୍ଟ ଶ୍ରେଣୀଗୃହ
ଅଧିକ ତ୍ୱରାନ୍ୱିତ ହେବ ଉଚ୍ଚ ବିଦ୍ୟାଳୟରେ ଆକାଂକ୍ଷୀ କାର୍ଯ୍ୟକ୍ରମ । ସେଥିପାଇଁ 'ମୋ ସ୍କୁଲ' କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ୧୫୮୯ ପ୍ରକଳ୍ପ ପାଇଁ ୩୧ କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ଓ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ଦ୍ୱାରା ଆଗତ ପ୍ରସ୍ତାବଗୁଡ଼ିକୁ ଯାଞ୍ଚ ପରେ ୨୮ ଜିଲ୍ଲାର ମୋଟ୍ ୧୦୭୨ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହାସହ ମୋଟ୍ ୧୫୮୯ଟି ପ୍ରକଳ୍ପ ପାଇଁ ୩୧ କୋଟି ୮୧ ଲକ୍ଷ ୫୯ ହଜାର ଟଙ୍କା ପରିଷଦ ଅନୁମୋଦନ କରିଛି ।
ବିଜ୍ଞାନ ଏବଂ ଗଣିତ ଶିକ୍ଷକଙ୍କୁ ଅଧିକ ଦକ୍ଷ କରିବା ପାଇଁ ବିଭିନ୍ନ ଜାତୀୟସ୍ତରୀୟ ଅନୁଷ୍ଠାନ ସହାୟତାରେ ରାଜ୍ୟ ସାଧନକର୍ମୀ ଦଳ ଗଠନ କରି ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି 'ମୋ ସ୍କୁଲ ଅଭିଯାନ'ର ୪୬ ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନୁରୂପ ଭାବେ ଜେଏସଡବ୍ଲ୍ୟ ଫାଉଣ୍ଡେସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଚୟନ ହୋଇଥିବା ୫ଶହ ପ୍ରାଥମିକ ବିଦ୍ୟାଳୟକୁ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ନବମ ଏବଂ ଦଶମ ଶ୍ରେଣୀ ପାଇଁ ଓଡ଼ିଆରେ ପ୍ରସ୍ତୁତ ହେଉଥିବା ଗଣିତ ପୁସ୍ତକ ପଢ଼଼ାଇବା ପାଇଁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି । ଏହି ବୈଠକରେ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ଥୀ ଏସ୍ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିପାଇଁ ସ୍ୱତନ୍ତ୍ର ସହାୟକ ପୁସ୍ତିକା ପ୍ରସ୍ତୁତ କରି ପ୍ରଥମ ପର୍ଯ୍ୟାୟରେ ରାଜ୍ୟସ୍ତରରେ ୧୨୫୬ ଜଣ ଶିକ୍ଷକଙ୍କୁ ଅପ୍ରେଲ ଶେଷ ସପ୍ତାହରୁ ପ୍ରଶିକ୍ଷଣ ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାସ୍ତରରେ ୩୪, ୭୨୦ ଜଣ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେହିପରି ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ପାଇଁ ୨୮୩୭ଟି ଅତିରିକ୍ତ ସ୍ମାର୍ଟ ଶ୍ରେଣୀଗୃହ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ୨ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଦିଆଯିବ । ଏହି ବୈଠକରେ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ଥୀ ଏସ୍ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications