ମା' ଦୁର୍ଗାଙ୍କ ଅପରାଜିତା ହୋମର କର୍ତ୍ତା ସାଜିଲେ ମୁସଲମାନ ଦଳବେହେରା
ମା ଦୁର୍ଗାଙ୍କ ଅପରାଜିତା ହୋମର କର୍ତ୍ତା ସାଜିଲେ ମୁସଲମାନ ଦଳବେହେରା
ଖୋର୍ଦ୍ଧା: ମା' ଦୁର୍ଗାଙ୍କ ଅପରାଜିତା ହୋମର କର୍ତ୍ତା ସାଜିଲେ ମୁସଲମାନ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକାଗୋଡା ଗ୍ରାମରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ପାଞ୍ଚଶହ ବର୍ଷ ତଳୁ ମାଣିକାଗୋଡା ଗ୍ରାମରେ ଚାଲିଆସିଛି ଅନନ୍ୟ ଭାଇଚାରାର ପର୍ଵ ଦଶହରା । ଦଶହରା ଦିନ ମଧ୍ୟରାତିରେ ଗ୍ରାମର ମୁସଲମାନ ଦଳବେହେରା ମିଜିବୁର ରେହମାନ ହିନ୍ଦୁ ରିତିନିତି ଅନୁସାରେ ହାତରେ କୁଶବଟୁ ଧାରଣ କରି ଅପରାଜିତା ହୋମରେ ଆହୁତି ପ୍ରଦାନ କରିଛନ୍ତି ।

ଏଭଳି ନିଆରା ଭାଇଚାରାର ପର୍ବ ବିଶ୍ୱରେ ଅନ୍ୟ କେଉଁଠି ଦେଖିବାକୁ ମିଳିନଥାଏ । ମାଣିକାଗୋଡା ଗ୍ରାମରେ ୪୦ ଭାଗ ମୁସଲମାନ ଓ ୬୦ ଭାଗ ହିନ୍ଦୁ ଲୋକ ବାସକରୁଛନ୍ତି । ଧାର୍ମିକ ଚିନ୍ତାଧାରାର ଭିନ୍ନତା ସତ୍ତ୍ବେ ୫୦୦ ବର୍ଷ ଧରି ପୁରୁଷାନୁକ୍ରମେ ଚାଲି ଆସୁଛି ମା କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା । ସପ୍ତମୀ ରାତ୍ରିରୁ ଆରମ୍ଭ ହୋଇଥିବା ଏହି ପର୍ବ ଦଶମୀ ତିଥିରେ ଉଦଯାପିତ ହୋଇ ଯାଇଛି ।

ଏହି ଦୁର୍ଗା ପୂଜାରେ ୧୩ ଟି ଜାତି ବ୍ୟକ୍ତି ବିଶେଷ ସହଯୋଗ ରେ ଭାଇଚାରା ଭାବରେ ପାଳନ କରାଯାଏ। ସକାଳେ ମାଙ୍କ ପୀଠରେ ଗ୍ରାମବାସୀ ଭୋଗ ବସାଇବା ପରେ ବିଳମ୍ବିତ ରାତ୍ରିରେ ମା ଭୂୟାଣୀ ଓ ମା ଯୋଗମାୟା ଦୁଇ ଭଉଣୀ ବିରାଟ ପଟୁଆରରେ ପାଇକ ସାହି ବଢେଇ ସାହି ସନ୍ତରା ସାହିରେ ପ୍ରତ୍ୟେକ ଦୁଆରେ ଭୋଗ ଖାଇ ଭଗବତୀ ପୀଠରେ ପହଞ୍ଚିଥିଲେ ।
ସେହିଠାରୁ ମୁସଲମାନ ଦଳ ବେହେରାଙ୍କୁ ସାଙ୍ଗରେ ନେଇ ପୂର୍ବରୁ ପୂଜା ପାଉଥିବା ଖଣ୍ଡା, କଟରା, ତାଳପତ୍ର , ଲେଖନୀ ସହ ମାଳିସାହିର ପ୍ରସିଦ୍ଧ ଶୈବପୀଠ ସୋମନାଥ ଦେବଙ୍କ ପୀଠରେ ପହଞ୍ଚି ବ୍ରାହ୍ମଣ ମାନଙ୍କ ଗ୍ରହଣରେ ହୋମ କାର୍ଯ୍ଯ ସମ୍ପାଦନ ହୋଇଥିଲା ।ଏହି ହୋମରେ ମୁସଲମାନ ଦଳବେହେରା କୁଶବଟୁ ପିନ୍ଧିବା ସହିତ ମୁଖ୍ୟକର୍ତ୍ତା ହୋଇ ମାଆଙ୍କ ଷୋଡଶ ଉପଚାର ପୂଜା କରିବା ସହ ଅପରାଜିତା ହୋମରେ ଆହୁତି ଦେଇଥିଲେ। ତାପରେ ସମସ୍ତ ଠାକୁର ସେମାନଙ୍କ ନିଜନିଜ ଆସ୍ଥାନକୁ ପଟୁଆରରେ ଫେରିଥିଲେ। ।ଷୋଡଶ ଶତାବ୍ଦୀରୁ ଏହି ପର୍ବ ଏହି ନିଆରା ଭାଇଚାରାର ମହାନ ପରମ୍ପରାକୁ ଗ୍ରାମବାସୀ ମାନେ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି । ଉତ୍କଳୀୟ ପରମ୍ପରାକୁ ଏହା ଉଜ୍ଜବିତ୍ କରିଆସିଛି।












Click it and Unblock the Notifications