ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍‌ଶୀଘ୍ର ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଭୁବନେଶ୍ୱର : ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଈ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ କହିଛନ୍ତି।

ଭୁବନେଶ୍ବର ଜୟଦେବ ଭବନଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ ଅନ୍ୟ କର୍ମଚାରୀ ମାନେ ନିରନ୍ତର ଭାବେ ପ୍ରାଣୀ ସେବା ଯୋଗାଇଥାନ୍ତି।

ଆମ ଏହି ବିଭାଗର କର୍ମଚାରୀମାନଙ୍କ ବୈଷୟିକ ଜ୍ଞାନ ଚାଷୀ ଭାଇ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଖୁବ୍ ସହାୟକ ହୋଇଥାଏ। ପ୍ରାଣୀ ପାଳନ ମନୁଷ୍ୟ ସମାଜର ସବୁଠାରୁ ପୁରାତନ ଜୀବିକା। ଆଜି ସମୟ ବଦଳି ଯାଇଛି, ମଣିଷ ସମାଜ ବର୍ତ୍ତମାନ ବିଭିନ୍ନ ପ୍ରକାର ବୃତ୍ତିଗତ ବ୍ୟବସାୟରେ ଜଡିତ ହୋଇ ଆଗକୁ ବଢୁଛି। କୃଷି ଓ ପଶୁ ପାଳନ କ୍ଷେତ୍ରରେ ଯୁବବର୍ଗଙ୍କ ମଧ୍ୟରେ ଫାର୍ମ ହାଉସ କରିବାର ଆଗ୍ରହ ବୃଦ୍ଧି ପାଉଛି। ଯଦି ଯୁବ ସମାଜ କୃଷି ଓ ପଶୁ ପାଳନ କ୍ଷେତ୍ରକୁ ବ୍ୟାପକ ଭାବେ ଆସିବେ ଏବଂ ଏହାକୁ ନିଜର ମୁଖ୍ୟ ବୃତ୍ତି ଭାବେ ଗ୍ରହଣ କରିବେ ତେବେ କୃଷି ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

mohan majhi

ମୁଖ୍ୟମନ୍ତ୍ରୀ ଉପସ୍ଥିତ କର୍ମଚାରୀମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଆପଣମାନେ ଆପଣଙ୍କ ବୃତ୍ତିକୁ ଏକ ସାଧାରଣ ଚାକିରୀ ବୋଲି ଭାବନ୍ତୁ ନାହିଁ। ଆପଣମାନଙ୍କ ଜ୍ଞାନ ଯେପରି ଲୋକଙ୍କ ଉପକାରରେ ଆସିବ, ସେମାନେ ଯେପରି ପଶୁ ପାଳନ ବୃତ୍ତିକୁ ଏକ ଲାଭ ଜନକ ତଥା ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବେ ସେଥିପାଇଁ ଉଦ୍ୟମ କରନ୍ତୁ। ଆପଣ ମାନେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାନ୍ତୁ ଏବଂ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ପାଳନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନେକ ସହାୟତା ଓ ରିହାତିର ବ୍ୟବସ୍ଥା କରାଯାଇଛି। ଆମ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକ ଓ ଯୁବବର୍ଗ ଏ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ ହେବେ।

ପ୍ରାଣୀ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୬୯୭ କୋଟି ଟଙ୍କା ରଖାଯାଇଛି। ଆମ ନୂଆ ସରକାରଙ୍କ ଦ୍ବାରା ନୂତନ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଡବଲ ଇଞ୍ଜିନ ସରକାର ଦେଇଛନ୍ତି। ଆମକୁ ମଧ୍ୟ ବିକାଶକୁ ଡବଲ ସ୍ପିଡ୍‌ରେ କରିବାକୁ ପଡିବ। ଏ ବିଭାଗକୁ ଆହୁରି ସଶକ୍ତ କରିବାକୁ ପଡିବ। ଚାଷୀ ମାନଙ୍କୁ ଆଗକୁ ନେବାକୁ ପଡିବ। ଏଥିପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ।କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆପଣ ମାନେ ଜଣେ ଜଣେ ପ୍ରାଣୀ ସେବକ ଭାବେ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।

କୃଷି ପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। ଗ୍ରାମାଞ୍ଚଳର ଗରିବ କୃଷକଙ୍କ ଅର୍ଥନୈତିକ ଅଭିବୃଦ୍ଧି ସହିତ ସମାଜର ଶେଷ ଧାଡିରେ ରହିଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ଆପଣମାନଙ୍କର ବଳିଷ୍ଠ ଯୋଗଦାନ ରହିଛି। ୨୦୩୬ ବିକଶିତ ଓଡିଶା ଗଠନର ମୁଖ୍ୟ ବିନ୍ଧାଣୀ ହେବେ ଆପଣ ମାନେ। ଆମର ଏହି ବିକଶିତ ଓଡିଶା ଗଠନ ଲକ୍ଷ୍ୟ ପୂରଣ ପାଇଁ ଆସନ୍ତୁ ଆମେ ସମସ୍ତେ ମିଳି ମିଶି କାମ କରିବା ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୪ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ମାନିତ କରିଥିଲେ।

ବିଧାୟକ ତଥା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶାରଦା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସଭାପତି ଉପେନ୍ଦ୍ର ନାଥ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+