'ରାଜ୍ୟର ୬୦%ରୁ ଅଧିକ ଲୋକ କୃଷି ଓ ଆନୁଷଙ୍ଗୀକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି'

ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଯଥା- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହ ଅବସରରେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି.ଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସମୁଦାୟ ୫୧ ଲକ୍ଷ ଚାଷୀ ଏହି ସହାୟତା ରାଶି ପାଇଲେ। ଏଥିରେ ସହରାଞ୍ଚଳର ୨୫,୫୩୨ ଜଣ ଚାଷୀ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଗୁଆ ସହାୟତା ପ୍ରଦାନ କରାଯାଉଥିବା ଯୋଗୁ ଏହି ରାଶି ରାଜ୍ୟର ଚାଷୀ ଭାଇ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାଧୀନତା ସମୟରେ ଆମ ଦେଶର ପ୍ରାୟ ୩୩ କୋଟି ଜନତାଙ୍କୁ ଆମେ ଖାଦ୍ୟ ଦେବାରେ ଅସମର୍ଥ ଥିଲୁ। କିନ୍ତୁ, ଆଜି ଆମ ଦେଶ ଖାଦ୍ୟ ଶସ୍ୟ ତଥା ଅନ୍ୟ ଖାଦ୍ୟ ପଦାର୍ଥ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ କୃଷିଜାତ ସାମଗ୍ରୀ ରପ୍ତାନୀ ମଧ୍ୟ କରୁଛି। ବର୍ତ୍ତମାନ ଭାରତ କୃଷି ଏବଂ ଆନୁଷଙ୍ଗୀକ କୃଷି ଉତ୍ପାଦ ରପ୍ତାନୀ କରିବାରେ ଏକ ପ୍ରମୁଖ ରାଷ୍ଟ୍ର। ୨୦୧୪ ମସିହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠୁ ଦେଶରେ କୃଷି ଓ କୃଷକ କଲ୍ୟାଣକୁ ଏକ ନୂତନ ଦଶା ଓ ଦିଶା ମିଳିଛି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନୀଧି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, କୃଷି ଭିତ୍ତିଭୂମି ଆଦିର ବିକାଶ ପ୍ରଭୃତି କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି ହୋଇଛି।

ସେ ପୁଣି କହିଥିଲେ, ଆମ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଓ ଆନୁଷଙ୍ଗୀକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ରାଜ୍ୟର ମୋଟ ଅଭିବୃଦ୍ଧିର ୨୨ ପ୍ରତିଶତ କୃଷି ଓ ଆନୁଷଙ୍ଗୀକ କ୍ଷେତ୍ରରୁ ଆସିଥାଏ। ଚାଷ ସହିତ ନିଜର ଅନୁଭୂତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଚାଷ କାର୍ଯ୍ୟ କଠିନ ପରିଶ୍ରମର କାର୍ଯ୍ୟ। ଶସ୍ୟ ନିଅଣ୍ଟିଆ ରାଜ୍ୟରୁ ଶସ୍ୟ ବଳକା ରାଜ୍ୟରେ ପରିଣତ କରିଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇ ଭଉଣୀମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ। ଜଳବାୟୁ ଅନୁକୂଳ କୃଷି କାର୍ଯ୍ୟ ଆପଣାଇବା ପାଇଁ ସେ ଚାଷୀ ଭାଇ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ।

MOHAN MAJHI

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆମ ସରକାର ଆସିବା ପରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ପୂର୍ବ ସରକାର ଏମ.ଏସ୍.ପି ପାଇଁ କେବଳ ବିଧାନସଭାରେ ଏକ ରିଜୋଲ୍ୟୁସନ ଆଣି ଚୁପ୍ ରହିଗଲେ। ଆମେ କଥା ଦେଇଥିଲୁ, କଥା ରଖି ୩,୧୦୦ ଟଙ୍କା ଏମ.ଏସ୍.ପି ଦେଲୁ। ଚାଷୀଙ୍କ ପାଇଁ ଭାବନା ଭଲ ରହିବା ଉଚିତ୍। ସେତେବେଳେ ଇଛା ଶକ୍ତିର ଅଭାବ ଥିଲା, ଏବେ ଆମ ପାଖରେ ଚାଷୀଙ୍କ ଉନ୍ନତି ପାଇଁ ଇଛା ଶକ୍ତି ଅଛି।

ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଆମେ ପ୍ରତି ସବ୍‌ଡିଭିଜନ୍‌ରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ପଦକ୍ଷେପ ନେଉଛୁ। ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ କୃଷି କାର୍ଯ୍ୟ ସହିତ ମାଛ ଚାଷ, ପ୍ରାଣୀ ପାଳନ, କୁକୁଡା ଓ ବତକ ଚାଷ ପାଇଁ ରିହାତି ସହିତ ଆବଶ୍ୟକ ସହାୟତା ଯୋଗାଇ ଦେଉଛୁ। ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଫସଲ ବିକ୍ରୀ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ଆମେ ଚାଷୀଙ୍କ ସହିତ ଅଛୁ, ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓୟୁଏଟିର ବରମୁଣ୍ଡା କୃଷି ଶୈକ୍ଷିକ ଫାର୍ମ ଠାରେ ଓଡିଆ ପରମ୍ପରା ଅନୁଯାୟୀ ପାରମ୍ପରିକ ହଳ ଲଙ୍ଗଳରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଦ୍ୱାରା ୧୯୨୧ ମସିହାରେ ରଚିତ 'କୃଷକ ସଂଗୀତ ପୁସ୍ତକ' ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ସ୍ୱଭାବ କବିଙ୍କ ବଂଶଧର ଉପସ୍ଥିତ ଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ପବିତ୍ର ଅକ୍ଷୟ ତୃତୀୟରେ ଚାଷୀ ତା'ର ଚାଷ କାର୍ଯ୍ୟ ଆଗକୁ ନେଇଥାଏ। ଆମେ ଯାହା ଖାଉଛେ ତାକୁ ଜଣେ ଚାଷୀ ଉତ୍ପାଦନ କରିଥାଏ, ସେହି ଚାଷୀ ମାନଙ୍କ ସହିତ ଆମ ସରକାର ସବୁବେଳେ ଛିଡାହେବ। କୃଷି ଓ କୃଷକଙ୍କୁ ମାର୍କେଟ୍ ଯୋଗାଇଦେବା ସହିତ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟଦେବା ପାଇଁ ଆମ ସରକାର ସର୍ବଦା କାମ କରୁଛି। ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ଏବଂ ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ରାଜ୍ୟର ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଆଗୁଆ ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ଓୟୁଏଟିର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା ଧନ୍ୟବାଦ ଅର୍ପଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+