ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ; ୩୦ ତାରିଖରେ ଯାଏ କାଳବୈଶାଖୀର ପ୍ରଭାବ
ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ । ଚଳିତ ବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ ମୌସୁମୀର ଆଗମନ ହୋଇଛି । ପାଣିପାଗ ବିଭାଗ ଆକଳନ ଅବଧିର ୮ ଦିନ ପୂର୍ବରୁ ଗତକାଲି ମୌସୁମୀ କେରଳ ଛୁଇଁଛି । ଗତ ୧୬ ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା । କେରଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଶାକୁ ମଧ୍ୟ ମୌସୁମୀ ବାୟୁ ସଅଳ ଆସିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।
ସାଧାରଣତଃ କେରଳରେ ମୌସୁମୀ ବାୟୁ ଛୁଇଁବାର ୧୦ ଦିନ ପରେ ଏହା ଓଡ଼ିଶାକୁ ପ୍ରବେଶ କରିଥାଏ। ମେ ଶେଷ କିମ୍ବା ଜୁନ୍ ମାସର ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଅଧିକ ସମ୍ଭାବନା ରହିଥିବା କୁହାଯାଉଛି ।
ସେପଟେ ୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟିହେବ ଲଘୁଚାପ କ୍ଷେତ୍ର । ପଶ୍ଚିମ- କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲୋ ପ୍ରେସର ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨ଦିନରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ବାତ୍ୟାରେ ପରିଣତ ହେବା ନେଇ କୌଣସି ସମ୍ଭାବନା ନଥିବା କୁହାଯାଇଛି ।

୩୦ ତାରିଖରେ ଯାଏ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ । ଆଜି କାଳବୈଶାଖୀ ପାଇଁ ୬ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଯାହା ୨୯ ତାରିଖ ବେଳକୁ ଘନୀଭୂତ ହୋଇ ୱେଲମାର୍କ ଲୋପ୍ରେସର ବା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ଯାହା ମୌସୁମୀର ଗତିକୁ ଆହୁରି ସକ୍ରିୟ କରିବ। ଅନୁମାନ କରାଯାଉଛି, ଲଘୁଚାପ ପ୍ରଭାବରେ ଓଡ଼ିଶାକୁ ମଧ୍ୟ ଆଗୁଆ ଆସିବ ମୌସୁମି । ଜୁନ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ପ୍ରବେଶ କରିବା ଅଧିକ ସମ୍ଭାବନା ରହିଛି ।
ଓଡ଼ିଶା ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହିତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ସାଙ୍ଗକୁ ଦକ୍ଷିଣରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ନେଇ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।












Click it and Unblock the Notifications