ଆଜିଠୁ ସଂସଦର ମୌସୁମୀ ଅଧିବେଶନ: କେଉଁ କେଉଁ ବିଷୟରେ ହେବ ଆଲୋଚନା ?
ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରମୁଖ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି।
ଏହି କ୍ରମରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନାକୁ ବିଜେଡି ଓ କଂଗ୍ରେସ ପ୍ରମୁଖ ପ୍ରସଙ୍ଗ କରିବେ ବୋଲି ଜଣାପଡ଼ିଛି। ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ବର ଛାତ୍ରୀଙ୍କ ଆତ୍ମଦାହ, ବଳଙ୍ଗା ଛାତ୍ରୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ଏବଂ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ଅତିରିକ୍ତ କମିସନରଙ୍କୁ ଅଫିସରେ ପଶି ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ମାରପିଟ୍ କରିବା ଭଳି ଏକାଧିକ ପ୍ରସଙ୍ଗକୁ ବିଜେଡି ସଂସଦରେ ଜୋରରେ ଉପସ୍ଥାପନ କରିବ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି।

କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲାକା କହିଛନ୍ତି, ମୌସୁମୀ ଅଧିବେଶନରେ ଜାତୀୟ ପ୍ରସଙ୍ଗ ସହ ଓଡ଼ିଶା ପ୍ରସଙ୍ଗ ଉଠାଯିବ। ରାଜ୍ୟରେ ଆଇନ ଶୃଙ୍ଖଳା, ପ୍ରଶାସନିକ ଅପରାଗତା ଯୋଗୁଁ ମହିଳା ବିରୋଧୀ ହିଂସାର ଗ୍ରାଫ୍ ଲଗାତାର ବଢ଼ିବା ଓଡ଼ିଶାର ଛବିକୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ମଳିନ କରିଛି। ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ରଥଯାତ୍ରା ଅଘଟଣ, ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ରାଜ୍ୟ ସରକାରଙ୍କ ବିଫଳତାକୁ ଦଳ ଦ୍ବାରା ନିଶାଣ କରାଯାଇଛି। କଂଗ୍ରେସର ଶୀର୍ଷ ନେତୃତ୍ବ ଓଡ଼ିଶା ପ୍ରସଙ୍ଗରେ ସକ୍ରିୟ ରହିଛନ୍ତି। ଅତଏବ ସଂସଦରେ ଦଳ ଦ୍ବାରା ଏସବୁ ପ୍ରସଙ୍ଗଗୁଡ଼ିକୁ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ଉଠାଯିବ। ଅନ୍ୟ ପକ୍ଷେ ବିଜେପିର ବରିଷ୍ଠ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି, ବିରୋଧୀଙ୍କ ଦ୍ବାରା ଉଠାଯିବାକୁ ଥିବା ପ୍ରସଙ୍ଗର ଉପଯୁକ୍ତ ଜବାବ ଦିଆଯିବ। ଏଥି ସହିତ ପଶ୍ଚିମବଙ୍ଗ ପ୍ରୋତ୍ସାହନରେ ଓଡ଼ିଶାକୁ ପଶି ଆସୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମସ୍ୟା ପ୍ରସଙ୍ଗ ଉଠାଯାଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯିବ।












Click it and Unblock the Notifications