ମୌସୁମୀ ଆରମ୍ଭରୁ ବେହାଲ କଲା ବର୍ଷା, ଆହୁରି ବର୍ଷିବ: ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୨୭.୩ ମିମି ବର୍ଷା ରେକର୍ଡ ହୋଇଛି । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୧୦୬.୩ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି ।
ସେହିପରି ଦୁଇ ଦିନ ଧରି କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଆଦି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ସକାଳଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ତିନି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା ହୋଇପାରେ ।

ସେପଟେ ମୌସୁମୀ ବର୍ଷା ଆରମ୍ଭ ହେଉ ହେଉ ଢେଙ୍କାନାଳ ସହରର ତଳି ଅଂଚଳରେ ଲୋକଙ୍କ ଘରେ ପଶି ଯାଇଛି ବର୍ଷା ପାଣି । ଟାଉନ୍ ପ୍ଲାନିଂ ଓ ଗାୟତ୍ରୀନଗରରେ ରାସ୍ତା ଉପରେ ୨ ଫୁଟ ଉଚ୍ଚର ପାଣି ବହିଛି । ସହରର ତଳି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ କୌଣସି ବ୍ୟାବସ୍ଥା କରାଯାଇ ନଥିବାରୁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବର୍ଷା ଯୋଗୁଁ ଘରୁ ବାହାରି ହେଉନାହିଁ ।
ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଫାଶିମାଳ ରାସ୍ତାରେ ଧୋଇ ଯାଇଛି ଅସ୍ଥାୟୀ ଡାଇଭରସନ୍ । ଶରଧାପାଲି ନଦୀ ଉପରେ ବ୍ରିଜ ନିର୍ମାଣଧୀନ ଥିବା ବେଳେ ବ୍ରିଜ ନିକଟରେ ଯାତାୟତ ପାଇଁ ଏକ ଅସ୍ଥାୟୀ ଡାଇଭରସନ ନିର୍ମାଣ କରାଯାଇଥିଲା ।
ତେବେ ଆଜି ଏହି ଡାଇଭରସନ ବର୍ଷା ପାଣିରେ ସମ୍ପୂର୍ଣ୍ଣ ବୁଡିଯାଇଥିବା ପାଖାପାଖି ୧୦ରୁ ୧୨ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ସ୍ଥାନରେ କିଛି ଦିନ ତଳେ ଏକ ବ୍ରିଜ୍ ନିର୍ମାଣ କରାଯାଉଥିଲା । କାମ ଚାଲୁଥିବା ବେଳେ ନିର୍ମାଣକାରୀ ସଂସ୍ଥା ବ୍ରିଜ୍ ସାଇଟ୍ରେ ଏକ କଲଭର୍ଟ ନିର୍ମାଣ କରିଥିଲା । ହେଲେ ନିମ୍ନମାନର କାମ ହୋଇଥିବାରୁ ଆଜି ମୌସୁମୀ ବର୍ଷାରେ ଏପରି ସମସ୍ୟା ସୃଷ୍ଟି ହୋଇଛି ।
ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇରେ ମଧ୍ୟ ଲଗାଣ ବର୍ଷା ଫଳରେ ଧୋଇଗଲା ଡାଇଭରସନ। ନିର୍ମାଣାଧୀନ ରାସ୍ତାର ଆକୁଳକାଳିମା ପୋଲ ନିକଟରେ ଡାଇଭରସନ ରାସ୍ତା ଧୋଇ ଯିବାରୁ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ସେହିପରି ସ୍ଥାନୀୟ ଘୁରୁଦିଆ ନାଳ ପୋଲ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ମୌସୁମୀ ବର୍ଷା ପ୍ରଭାବରେ ସୁଖିଲା ପଡ଼ିଥିବା ସମକୋଇ ନଦୀ ଏବଂ ବିଭିନ୍ନ ନାଳରେ ବର୍ଷା ଜଳ ଦେଖିବାକୁ ମିଳିଛି ।












Click it and Unblock the Notifications