ସ୍ୱାଭାବିକ ହେଲା ମୌସୁମୀ: ରାଜଧାନୀରେ ମୂଷଳ ଧାରାରେ ବର୍ଷା !
ଭୁବନେଶ୍ବର: ଏବେ ସକ୍ରିୟ ହୋଇଛି ଦୁର୍ବଳ ମୌସୁମୀ । ଉପକୂଳ ଓଡ଼ିଶାରେ ଆଜି ସକାଳୁ ଲାଗି ରହିଛି ବର୍ଷା । ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି ।
ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୯.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧ ପ୍ରତିଶତ ଅଧିକ । ଏ ସମୟ ଭିତରେ ଦେବଗଡ ଜିଲ୍ଲାରେ ସର୍ବାଧିକ ଓ କଳାହାଣ୍ଡିରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି ।
ସେପଟେ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ବର ପାଇଁ ବର୍ଷା ସତର୍କତା ଜାରି ହୋଇଛି । ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଯଥା ସମ୍ଭବ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ।

ସେପଟେ ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି । ଆଉ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିପାଇଁ ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ ।
ତେବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଶ୍ରାବଣରେ ଭଲ ବର୍ଷା ହେଉ ନଥିବାରୁ ବଡ଼ବର୍ଷାକୁ ଅପେକ୍ଷା କରି ରହିଛନ୍ତି ଚାଷୀ । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମ ପଛେଇ ଯାଇଛି । ଭଲ ବର୍ଷା ହେଉ ନଥିବାରୁ ଚାଷ ଜମି ଫାଟି ଗଲାଣି ।
ଗତ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚିନ୍ତା ବ଼ଢ଼ାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରେକର୍ଡ ହୋଇଛି ୨୭ ପ୍ରତିଶତ କମ୍ ବର୍ଷା । ଜୁନ୍ ୧ରୁ ୧୦ ତାରିଖ ଭିତରେ ରାଜ୍ୟରେ ୨୨୨.୭ ମିଲିମିଟର ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ରହିଛି ୩୦୪.୨ ମିଲିମିଟର । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ସବୁଠୁ କମ୍ ୬୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।












Click it and Unblock the Notifications