ମୌସୁମୀ ଦୁର୍ବଳ, ରାଜ୍ୟରେ ବଢୁଛି ଦିନ ତାପମାତ୍ରା
ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ । ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି ପାଉଛି । ଗତକାଲି ରାଜ୍ୟର ୬ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ଥିଲା ।
ଭୁବନେଶ୍ୱର: ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ । ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି ପାଉଛି । ଗତକାଲି ରାଜ୍ୟର ୬ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ଥିଲା । ୩୫.୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଚାନ୍ଦବାଲି ଥିଲା ସବୁଠାରୁ ଉତ୍ତପ୍ତ ସହର । ଦୁର୍ବଳ ମୌସୁମୀ ପ୍ରଭାବ ଆହୁରି ୪ରୁ ୫ ଦିନ ରହିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ତାପମାତ୍ରା ସାଙ୍ଗକୁ ବାୟୁର ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହେଉଛି। ଯାହାକି ଜନଜୀବନ ଅସ୍ତବ୍ୟସ୍ତ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ହିମାଳୟ ପାଦଦେଶରେ ଅବସ୍ଥାନ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହୁଛି। ଏହା ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ସହ ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପର ଉପସ୍ଥିତି ହେତୁ ଗୁଳୁଗୁଳି ଅନୁଭୂତ ହେଉଛି ।
ଅନ୍ୟପଟେ ମୌସୁମୀ ବ୍ରେକ୍ ସମୟରେ ଅଧିକ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୂଳ ରହୁଛି। ତେଣୁ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ୩୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୋଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।












Click it and Unblock the Notifications