Get Updates
Get notified of breaking news, exclusive insights, and must-see stories!

ରାଉରକେଲାରେ କ୍ରୀଡ଼ା ଭିତ୍ତିଭୂମିର ଅନୁଧ୍ୟାନ, ଓଏସଏପି କ୍ୟାମ୍ପସରେ କଲ୍ୟାଣ ମଣ୍ଡପର ଉଦଘାଟନ

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହାସହ ସେ ରାଉରକେଲାରେ ଚାଲିଥିବା କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ କେତେକ ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ କରିଥିଲେ।

osap

ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷଠାରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ତ୍ରିପାଠୀ ଉପସ୍ଥିତ ରହି କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉଦ୍ୟୋଗ ସହିତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଆଦି କ୍ଷେତ୍ରରେ କିପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ତା'ଉପରେ ଗୁରୁତ୍ୱ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

osap campus

ସମୀକ୍ଷା ବୈଠକ ପରେ ତ୍ରିପାଠୀ କହିଥିଲେ ଯେ, ''ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଅର୍ଥକାରୀ ଫସଲ ଚାଷ କରାଯାଉଛି। ସେଥିମଧ୍ୟରେ ବିଭିନ୍ନ ଡାଲିଜାତୀୟ, ତୈଳବୀଜ ସହିତ ପନିପରିବା ଫସଲ କରାଯାଉଛି। ଚାଷୀମାନଙ୍କ ଉତ୍ପାଦର ସଠିକ ବଜାର ସଂଯୋଗୀକରଣ କରାଯାଇ ସେମାନଙ୍କୁ କିପରି ଉଚିତ ମୂଲ୍ୟ ପ୍ରଦାନ କରାଯିବ ତା' ଉପରେ ବିଶେଷ ପଦକ୍ଷେପ ନିଆଯାଉଛି।''

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତ୍ରିପାଠୀ ରାଉରକେଲାରେ ନିର୍ମାଣାଧୀନ କ୍ରୀଡ଼ା ଭିତ୍ତିଭୂମିର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର୍ଯ୍ୟ ସେ ବୁଲି ଦେଖିଥିଲେ। ମୁଖ୍ୟ ଷ୍ଟାଡିୟମ ସହ ଅଭ୍ୟାସ ପଡ଼ିଆ, ଦର୍ଶକ ଗ୍ୟାଲେରୀ, ଫ୍ୟାସିଲିଟି ସେଣ୍ଟର ଆଦି ଦେଖିଥିଲେ।

ବିଶ୍ରା ଛକଠାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମର ସେ ଅଗ୍ରଗତି ସମୀକ୍ଷା କରିଥିଲେ। ଷ୍ଟାଡିୟମ ନିର୍ମାଣ କାମ ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଅସିତ ତ୍ରିପାଠୀ ବିପିୟୁଟି କ୍ୟାମ୍ପସରେ ଥିବା ସିପେଟ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ଲାଷ୍ଟିକ ଟେକ୍ନୋଲୋଜିରେ ଯୁବକ ଯୁବତୀଙ୍କୁ ଦିଆଯାଉଥିବା ତାଲିମ ବିଷୟରେ ପଚାରି ବୁଝିଥିଲେ।

ରାଉରକେଲା ଗସ୍ତ ଅବସରରେ ତ୍ରିପାଠୀ ସେକ୍ଟର-୨୧ସ୍ଥିତ ଓଏସଏପି କ୍ୟାମ୍ପସରେ ନୂଆକରି ନିର୍ମାଣ କରାଯାଇଥିବା ଏକ କଲ୍ୟାଣ ମଣ୍ଡପର ଉଦଘାଟନ କରିଥିଲେ। ଏହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହାସହ ସେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତ୍ତକୋତର କମ୍ପ୍ୟୁଟର ସାଇନ୍ସ ବିଭାଗର ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଡକ୍ଟର ଅଜିତ କୁମାର ମିଶ୍ର, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଲ ଲାକ୍ରା, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦ ମହାନ୍ତି, ଇଡକୋ ଡିଭିଜନଲ ହେଡ ବିଜୟ କୁମାର ମହାନ୍ତି, ଲାଠିକଟା ବିଡିଓ ମନସ୍ୱିନୀ ଦାସ, ରାଉରକେଲା ଡିଏସପି ଏସ ଏନ ସାମତ, ପୂର୍ତ୍ତ ବିଭାଗର ମନୋଜ ମହାନନ୍ଦ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+