ମୋହନ ସରକାର ଲୋକାଭିମୁଖୀ ଯୋଜନାକୁ ନେଇ ଆହ୍ବାନ; ବଜେଟରେ କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ?
ଓଡିଶାରେ ମୋହନ ସରକାର । ଶପଥ ନେବା ଦିନଠୁ କିଛି ନା କିଛି ଅଲଗା ଦେଖିବାକୁ ମିଳୁଛି । ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ଠାରୁ ସାମ୍ବାଦିକଙ୍କୁ ଲୋକସେବା ଭବନ ଯିବାକୁ ଅନୁମତି ଦେବା ସବୁଠୁ ମିଳୁଛି ପ୍ରଶଂସା। ତେବେ ମୋହନ ସରକାର ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ବଜେଟ୍ । ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିବ ।
ମୋହନ ସରକାରରେ କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ? ସରକାରଙ୍କ ପାଇଁ କ'ଣ ରହିବ ବଡ଼ ଚ୍ୟାଲେଞ୍ଜ ? ବିଶେଷଜ୍ଞଙ୍କ ମତରେ, କର୍ମ ନିଯୁକ୍ତି, ନୂଆ ଶିଳ୍ପ ପ୍ରତିଷ୍ଠା, ଜଳ ବିବାଦ ସମସ୍ୟାର ସମାଧାନ ନୂଆ ସରକାରଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ରହିବ। ଏପରିକି ପାଣ୍ଠିର ସୁବିନିଯୋଗ ବି ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଇଛି । ବହୁ ସରକାରୀ ପଦବୀ ଫାଙ୍କା ପଡ଼ିଥିଲେ ବି ଶିକ୍ଷିତ ଯୁବଗୋଷ୍ଠୀ ଚାକିରି ନ ପାଇ କାମଧନ୍ଦା ପାଇଁ ବାହାରା ରାଜ୍ୟକୁ ଯାଉଛନ୍ତି । ଜଳସେଚନ ସୁବିଧା ନ ଥିବାରୁ କୃଷିକ୍ଷେତ୍ର ଉଜୁଡ଼ିଗଲାଣି । ଖଣି, ଇସ୍ପାତକୁ ଛାଡ଼ି ଦେଲେ, ନୂଆ ପିଢ଼ିର ଶିଳ୍ପ ସ୍ଥାପନ ହୋଇପାରିନି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଢେର ସୁଯୋଗ ଥିଲେ ବି ସ୍ଥିତି ସୁଧୁରିନି ।

ରାଜସ୍ବ ବଳକା ଓଡ଼ିଶାରେ ଅର୍ଥର ଅଭାବ ନାହିଁ କି ବାହ୍ୟ ଋଣ ବୋଝ ବି ନାହିଁ । ଆଉ ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ । ଆଶା , ଖୁବ୍ଶୀଘ୍ର ବଜେଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ।
ତେବେ ନୂଆ ସରକାର ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ, ନବୀନ ସରକାର ଅମଳରେ ଲାଗୁ ହୋଇଥିବା ଲୋକାଭିମୁଖୀ ଯୋଜନାଗୁଡ଼ିକୁ କିଭଳି କରିବେ ପରିଚାଳନା ? ପୂର୍ବ ସରକାରର ପୁରୁଣା ସ୍କିମ୍ ବନ୍ଦ କରି, ନିଜସ୍ବ ନୂଆ ସ୍କିମ୍ ବି ଆଣିପାରନ୍ତି ମୋହନ ସରକାର।
ଏମିତି ସ୍ଥିତିରେ ଯଦି କାଳିଆ ଓ BSKY ଭଳି ଯୋଜନାକୁ ଚାଲୁ ରଖି ନୂଆ ସ୍କିମ୍ ଆଣନ୍ତି, ହୁଏତ ରାଜ୍ୟ ପୁଣି ଥରେ ଅର୍ଥ ସଙ୍କଟ ଭିତରକୁ ଚାଲି ଯାଇପାରେ । ଏବେ ଅପେକ୍ଷା ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟକୁ । ତେବେ ଏହି ବଜେଟ୍ ହିଁ ସ୍ପଷ୍ଟ କରିବ, ଆଗକୁ କିଭଳି ରାଜ୍ୟର ବିକାଶ ଧାରା ଜାରି ରହିବ।












Click it and Unblock the Notifications