Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ପୋଲିସକୁ ମୋହନ ମାଝୀ ସରକାରଙ୍କ ଭେଟି, ବଢିଲା ପୋଷାକ ଭତ୍ତା-ପ୍ରୋତ୍ସାହନ ରାଶି

ଭୁବନେଶ୍ବର: ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବା। ଅସହାୟଙ୍କୁ ଯଥାଶୀଘ୍ର ସହାୟତା ଓ ଅସୁରକ୍ଷିତଙ୍କୁ ତୁରନ୍ତ ସୁରକ୍ଷା ହେବା। ସମସ୍ତ ପୋଲିସ ଷ୍ଟେସନରେ FIR ତୁରନ୍ତ ଗ୍ରହଣ ଓ ଠିକ ସମୟରେ ତଦନ୍ତ। ଏଥିପାଇଁ ପୋଲିସ ବାହିନୀକୁ ହେବାକୁ ପଡ଼ିବ ଯତ୍ନବାନ। ପୋଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କନଷ୍ଟେବଳରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ ହୋଇଛି । ଇନ୍ସପେକ୍ଟର ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ରୁ ୮୬୦୦ ଟଙ୍କା, ସବଇନ୍ସପେକ୍ଟର ଓ ଏଏସଆଇମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ ଟଙ୍କାରୁ ୮୪୦୦ ଟଙ୍କା, ହାବିଲଦାର, କନେଷ୍ଟବଳ ଓ ସିପାହୀ ମାନଙ୍କ ପାଇଁ ୫୦୦୦ରୁ ୧୦,୦୦୦ ଟଙ୍କା ଏବଂ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀମାନଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ପଦବୀର ସମାନ ର‍୍ୟାଙ୍କର କର୍ମଚାରୀ ଓ ଅଧିକାରୀମାନଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା ମିଳିବ।

Mohan Majhi government

ସେହିପରି କନେଷ୍ଟବଳ, ସିପାହୀ ଓ ସମାନ ର‍୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍‌ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସହିତ ହାବିଲଦାର ଓ ସମାନ ର‍୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍‌ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଭତ୍ତା ଓ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଯୋଗୁ ଆଜି କନେଷ୍ଟବଳ, ହବିଲଦାର ଓ ସିପାହୀ ସଂଘର କର୍ମକର୍ତ୍ତା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସଂଘର କର୍ମକର୍ତ୍ତା ମାନଙ୍କୁ ଦକ୍ଷତାର ସହ ଆଗାମୀ ଦିନ ଗୁଡିକରେ କାର୍ଯ୍ୟ କରିବା ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏକ ବୈଠକରେ ଉପସ୍ଥିତ ସମସ୍ତ ପୋଲିସ ସେବା କର୍ମଚାରୀ ମାନଙ୍କୁ ରାଜ୍ୟବାସୀଙ୍କ ଆଶା ଓ ଭରସାର ମାନ ରଖି ଓଡ଼ିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବାରେ ଯୋଗଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଅସହାୟମାନେ କିଭଳି ଯଥା ଶୀଘ୍ର ସହାୟତା ପାଇବେ, ଅସୁରକ୍ଷିତ ଲୋକେ କିଭଳି ତୁରନ୍ତ ସୁରକ୍ଷା ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ। ସମସ୍ତ ପୋଲିସ ଷ୍ଟେସନରେ FIR ତୁରନ୍ତ ଗ୍ରହଣ ଏବଂ ସେହି FIR ଉପରେ କିଭଳି ଠିକ୍ ସମୟରେ ତଦନ୍ତ କରାଯିବ, ସେଥିପ୍ରତି ଯତ୍ନଵାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶାର ପୋଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ବର୍ତ୍ତମାନ ରାଜ୍ୟ ପୋଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବୀ ଖାଲି ରହିଛି। ଆହୁରି ୧୬,୦୫୯ଟି ନୂଆ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏସବୁ ପଦବୀ ପୂରଣ ହେବା ପରେ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୋଲିସର ନିୟୋଜନ ଯଥେଷ୍ଟ ବୃଦ୍ଧି ପାଇବ। ଏହାସହିତ ପୋଲିସ ବାହିନୀକୁ ଅଧିକ ଦକ୍ଷ କରିବା ପାଇଁ ଅଧିକାରୀମାନେ ଅନ୍ୟ ରାଜ୍ୟକୁ ଯାଇ ସେଠାକାର ପରିଚାଳନା ପଦ୍ଧତିକୁ ଅନୁସରଣ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

ବୈଠକ ଆରମ୍ଭରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ସ୍ୱାଗତ ଭାଷଣ ଦେଇଛନ୍ତି। ଏହା ସହିତ ନିକଟରେ ପୋଲିସ ବାହିନୀର ବିଭିନ୍ନ ବିଭାଗକୁ ସଶକ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। କନେଷ୍ଟବଳ, ହାବିଲଦାର ଓ ସିପାହୀ ମହାସଂଘର ସଭାପତି ଅନିଲ କୁମାର ଷଣ୍ଢ ଧନ୍ୟବାଦ ଅର୍ପଣ କରିଛନ୍ତି । ସଂଘର ସଂପାଦକ କିଶୋର କୁମାର ମହାନ୍ତି ଓ ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+