ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ
ଚିବିଶି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ଠାରୁ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ଲାଗି ରହିଥିଲା ସସପେନ୍ସ । ମୁଖ୍ୟମନ୍ତ୍ରୀ ରେସ୍ରେ ଥିଲେ ଅନେକ ନେତା ।

ଆଉ ବର୍ତ୍ତମାନ ତାହା ଉପରେ ବିରାମ ଲଗାଇଛନ୍ତି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ । ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ନାଁରେ ମୋହର ବାଜିଛି। ବୁଧବାର ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏନେଇ ଜନତା ମଇଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ବିଧାୟକ ଦଳ ନେତା ଚୟନ ପାଇଁ ବିଜେପି ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଦାୟିତ୍ବ ଦେଇଥିଲା । ବିଜେପି ବିଧାୟକଙ୍କ ସହ ଆଲୋଚନା ପରେ ରାଜନାଥ ଓ ଭୂପେନ୍ଦ୍ର ଯାଦବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛନ୍ତି ।
ମୋହନ ମାଝୀ କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ରାଇକଳାରେ ୧୯୭୨ ମସିହା ଜାନୁଆରି ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ (କଳା)। ସେ ୨୦୦୦, ୨୦୦୪, ୨୦୧୯ ଓ ୨୦୨୪ରେ ବିଜେପି ଟିକେଟ୍ରେ କେନ୍ଦୁଝର ଆସନରୁ ବିଜୟୀ ହୋଇଛନ୍ତି। ୨୦୦୫ ଫେବ୍ରୁଆରି ୨୮ରୁ ୨୦୦୯ ମାର୍ଚ୍ଚ ୯ ତାରିଖ ଯାଏଁ ସେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ଥିଲେ।












Click it and Unblock the Notifications