ସୁଭଦ୍ରା ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦୀ
୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି 'ସୁଭଦ୍ରା' ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ 'ଘର ମଞ୍ଜୁରୀ ପତ୍ର', ୨୬ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଂଟନ ସହ 'ଆବାସ+ ୨୦୨୪'ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସାଢ଼େ ୩ଘଣ୍ଟାର ଓଡ଼ିଶା ଗସ୍ତ ପାଇଁ ଆଜି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି ସମୀକ୍ଷା ଅନୁଷ୍ଠିତ ହୋଇଛି ।
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ୧୭ତାରିଖ ପୂର୍ବାହ୍ନ ୧୧ଟା ୩୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚି ୧୧ଟା ୫୫ମିନିଟରେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ଫେରିଯିବେ । ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିବା ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ ଘର ଆବଂଟନ ପତ୍ର ବାଂଟିବେ । ସେହିପରି ୨୬ଲକ୍ଷ ଆବାସ ହିତାଧିକାରୀଙ୍କୁ ସେମାନଙ୍କର ଘରର ପ୍ରଥମ କିସ୍ତି ବାବଦରେ ୩୧୮୦କୋଟି ଟଙ୍କା ସିଧାସଳଖ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲ ମୋଡରେ ସ୍ଥାନାନ୍ତର କରିବେ । ଏହାସହିତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଆବଂଟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ 'ଆବାସ+ ୨୦୨୪' ଆପକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରୁ SPG ଟିମ୍ ଓଡ଼ିଶା ଆସିଛନ୍ତି। ଗତକାଲି ୮ ଜଣିଆ SPG ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି। ଆଜି SPG ଟିମ୍ ଭେନ୍ୟୁ ସ୍ଥଳ ଜନତା ମଇଦାନ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା କାର୍ଯ୍ୟକ୍ରମ ରହିଛି।
ଜନ ଗହଳିକୁ ଦୃଷ୍ଟିରେ ରଖି ଜନସାଧାରଣ ଯେପରି କାର୍ଯ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯିବ। ଏହାସହ ଭିଡ ନିୟନ୍ତ୍ରଣ ପାଇଁ ୫୦ ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ପ୍ରଧାନମନ୍ତ୍ରୀ ଆଉ କିଛି ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ/ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications