ଓଡ଼ିଶାକୁ ପ୍ରଶଂସା କଲେ ମୋଦି , ଜାଣନ୍ତୁ କାହିଁକି ?
ବାତ୍ୟା ଦାନା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାରେ ମାଡ଼ ହେବାକୁ ଥିବା ବାତ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଯେଉଁଠି ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।
ପୁର୍ବାହ୍ନର ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖବରଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଥିବା ସେ କହିଥିଲେ। ଏଥିସହିତ ଆଉ କିଛି ଆବଶ୍ୟକ ହେଲେ, ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ରାଜ୍ୟ ସରକାର ଯାହା କେନ୍ଦ୍ରଠାରୁ ସାହାଯ୍ୟ ମାଗିଥିଲେ ସବୁ ମିଳିଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ବାତ୍ୟା 'ଦାନା' ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରି ପୁରୀ ଓ ସାଗରଦ୍ୱୀପ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ଼ ଦାନାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ୫ ଘଣ୍ଟା ଧରି ଚାଲିବ।

ଏଥିରେ ୧୧ ଜିଲାର ୩୮ ବ୍ଲକ, ୯ ପୌରାଞ୍ଚଳ ପ୍ରଭାବିତ ହୋଇପାରେ। ମୋଟ ୧୬୫୩ ଗାଁ ବାତ୍ୟା ଦ୍ବାରା ପ୍ରଭାବିତ ହେବାର ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ। ଏଯାବତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଅତିପ୍ରବଳ ବର୍ଷା ହେବା ସହିତ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ୧ ମିଟର ଉଚ୍ଚତାର ଜୁଆର ଆସିବାର ସମ୍ଭାବନା ରହିଛି। ସାମୁଦ୍ରିକ ଝଡ଼ ଦାନା ପ୍ରଭାବରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସହ ସ୍ଥଳ ବିଶେଷରେ ଏହା ୧୨୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତ୍ସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।












Click it and Unblock the Notifications