ମୋଦୀ କ୍ୟାବିନେଟ୍ 3.0: ଓଡ଼ିଶାରୁ ବଢିଲା ସାଂସଦ ସଂଖ୍ୟା, ତିନିରେ ସୀମିତ ମନ୍ତ୍ରୀ ପଦ
ଭୁବନେଶ୍ୱର: 2024 ସାଧାରଣ ନିର୍ବାଚନ ସରିଛି । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର କରିଛି ଏନଡିଏ । ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ସହ ତାଙ୍କ ମନ୍ତ୍ରିମଣ୍ଡଳକୁ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ମୋଦୀ ସରକାରର ତୃତୀୟ ପାଳିରେ ଓଡ଼ିଶାରୁ ତିନି ସାଂସଦଙ୍କୁ ମିଳିଛି ମନ୍ତ୍ରୀ ପଦ । ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍ ଲୋକସଭା ସାଂସଦରୁ ମନ୍ତ୍ରୀ ପଦ ପାଇଥିବା ବେଳେ, ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ପୁଣି ରିପିଟ୍ କରାଯାଇଛି ।
ଚଳିତ ନିର୍ବାଚନରେ କେନ୍ଦ୍ରରେ ମୋଦୀ ସରକାର ଗଠନ ଦିଗରେ ଓଡ଼ିଶାର ରହିଛି ବଡ଼ ଅବଦାନ । ବିଜେପି ଗଠନ ଦିନ ଠାରୁ ଓଡ଼ିଶାରୁ ଏତେ ସଂଖ୍ୟକ ସାଂସଦ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏଥର ଓଡ଼ିଶାବାସୀ ରାଜ୍ୟର 21 ଲୋକସଭା ଆସନରୁ 20 ଆସନରେ ବିଜେପି ପ୍ରାର୍ଥୀଙ୍କୁ ଲୋକସଭାକୁ ପଠାଇଛନ୍ତି । ରାଜ୍ୟରେ ବିଜେପିର ଏହା ହେଉଛି ସର୍ବକାଳୀନ ରେକର୍ଡ। ବିଜେପି ଗଠନ ହେଲା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଏମିତି ଏକ ବଡ଼ ସଫଳତା ମିଳିଛି।
ରାଜ୍ୟରୁ ମନ୍ତ୍ରୀ ପଦ ମିଳିଥିବା ତିନି ସାଂସଦ ଅନୁଭବୀ ଓ ଅଭିଜ୍ଞ । ଜୁଏଲ୍ ଓରାମ ତୃତୀୟ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳିରେ ସେ ମନ୍ତ୍ରୀ ହୋଇଥିଲେ । ଦୁଇ ଥର ଯାକ ତାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ହିଁ ମିଳିଥିଲା । ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଧାନମନ୍ତ୍ରୀ ଲଗାତାର 10 ବର୍ଷ ହେଲା ଭରସା କରିଆସୁଛନ୍ତି । 2014 ମସିହାରୁ ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି । ଅଶ୍ୱିନୀ ବୈଷ୍ଣବ 2019 ରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେଲା ପରେ 2021 ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଥିଲା । ସେବେଠାରୁ ସେ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି ।
ଓଡ଼ିଶାରୁ ଏଥର ବିଜେପିର 20 ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହେବା ସହ ରାଜ୍ୟ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ରାଜ୍ୟରେ ବିଜେପି ସରକାର ବି ଗଠନ ହେବାକୁ ଯାଉଛି । ରାଜ୍ୟବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଥିବାରୁ କେନ୍ଦ୍ରରେ ଅଧିକ ମନ୍ତ୍ରୀ ପଦ ମିଳିବ ବୋଲି ଅନୁମାନ କରାଯାଉଥିଲା । ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ସମ୍ବିତ ପାତ୍ର ପ୍ରମୁଖଙ୍କ ନାମ ମନ୍ତ୍ରୀ ଚର୍ଚ୍ଚାରେ ରହିଥିଲା । କିନ୍ତୁ ମୋଦୀ କେବଳ ଦୁଇ ଜଣ ପୁରୁଣା ନେତାଙ୍କୁ ହିଁ ଭରସା କରିଛନ୍ତି । ଭର୍ତ୍ତୃହରିଙ୍କ ନାମ ଏବେ ବି ବାଚସ୍ପତି ଚର୍ଚ୍ଚାରେ ରହିଛି ।
ସୂଚନାଯୋଗ୍ୟ ଯେ ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ପର୍ଯ୍ୟାୟରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ପ୍ରତାପ ଷଡ଼ଙ୍ଗୀ ବାଦ୍ ପଡ଼ିଥିଲା ବେଳେ ବିଶ୍ବେଶ୍ବର ଟୁଡ଼ୁ ମନ୍ତ୍ରୀ ହୋଇଥିଲେ। ଧର୍ମେନ୍ଦ୍ର ତାଙ୍କ ସ୍ଥାନ ବଜାୟ ରଖିଥିଲେ। ଏହା ସହିତ ଅଶ୍ବିନୀ ବୈଷ୍ଣବ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ।












Click it and Unblock the Notifications