ସାମ୍ବାଦିକଙ୍କ ଉପରୁ ହଟିଲା ମୋବାଇଲ୍ କଟକଣା କିନ୍ତୁ ରହିଲା ଏହି ସର୍ତ୍ତ
ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ମୋବାଇଲ କଟକଣା ଇତିମଧ୍ୟରେ ହଟାଇ ଦିଆଯାଇଛି। ସାମ୍ବାଦିକମାନେ ଆନ୍ଦୋଳନ କରିବା ପରେ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ମୋବାଇଲ କଟକଣା ହଟିଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇ କହିଛନ୍ତି। କଟକଣା ଉଠିଥିଲେ ମଧ୍ୟ ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ମନା ହୋଇଛି।

ମିଳିଥିବା ସୂଚନା ମୁତାବକ ଗତକାଲିର ଘଟଣା ପରେ, ବୁଧବାର ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ କରିବାକୁ ବିଧାନସଭାରେ ପହଞ୍ଚିଥିଲେ, ସେହି ସମୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଲଫାପା ଦିଆଯିବା ସହିତ, ଏହି ଲଫାପାରେ ଫୋନ୍ ରଖି ପ୍ରେସ୍ ଗ୍ୟାଲେରୀକୁ ଯିବା ପାଇଁ କୁହାଯାଇଥିଲା । ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରଶ୍ନକାଳକୁ ବୟକଟ୍ କରିଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ବିଧାନସଭା ଭିତରେ ବିଧାୟକମାନଙ୍କର ମାରପିଟ୍ ହେବା ଭିଡିଓ ଭାଇରାଲ ହେଇଥିଲା । ଆଉ ଏହାପରେ ଆଜି ସାମ୍ବାଦିକଙ୍କ ଉପରେ କଟକଣା ଲାଗିଥିଲା । ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହରେ ଆରମ୍ଭ ହେଇଯାଇଥିଲା ବିଧାୟକମାନଙ୍କର ଗଣ୍ଡଗୋଳ ।












Click it and Unblock the Notifications