Get Updates
Get notified of breaking news, exclusive insights, and must-see stories!

ସ୍ଥାନୀୟ ଅର୍ଥନୀତିକୁ ଅଧିକ ସଶକ୍ତ କରୁଛନ୍ତି ମିଶନ ଶକ୍ତିର ବ୍ୟାଙ୍କ ସଖୀ

ରାଜ୍ୟରେ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଜନସାଧାରଣଙ୍କ ପାଇଁ ମୌଳିକ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ନିମନ୍ତେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ବ୍ୟାଙ୍କ୍ ସଖୀ ଭାବେ ରାଜ୍ୟ ସରକାର ନିଯୋଜିତ କରିଛନ୍ତି । ଏଥି ପାଇଁ ବ୍ୟାଙ୍କ ସଖୀ ଭାବରେ ମିଶନ ଶକ୍ତି ବିଭାଗ ବିଭିନ୍ନ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଛି। ଏହି ଐତିହାସିକ ପଦକ୍ଷେପ ସ୍ୱରୂପ ଗ୍ରାମର ବରିଷ୍ଠ ତଥା ମା'ମାନେ କାହା ଉପରେ ନିର୍ଭରଶୀଳ ନହୋଇ ନିଜ ଘର ନିକଟରେ ବ୍ୟାଙ୍କ ସେବା ପାଇ ପାରୁଛନ୍ତି।

Mission Shakti mo sakhi

କଟକ ଜିଲ୍ଲା ନରସିଂହପୁର ବ୍ଲକର କାଠଖୁଣ୍ଟା ଗାଁର ଜଣେ ବୟସ୍କ ପେନସନଭୋଗୀ ଶ୍ରୀ ଗଙ୍ଗା ନାୟକ କୁହନ୍ତି, "କେବଳ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ମୋ ଗାଁଠାରୁ ବେଶ୍ କିଛି କିଲୋମିଟର ଦୂରରେ ଥିବା ବ୍ୟାଙ୍କକୁ ଯିବା ପାଇଁ ମୁଁ ଆଉ ଜଣଙ୍କ ସହାୟତା ନେଉଥିଲି ଏବଂ ପେନସନ ଟଙ୍କାରୁ କିଛି ଅର୍ଥ ମୋତେ ଯାତାୟତ ବାବଦକୁ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଅପହଞ୍ଚ ଅଞ୍ଚଳରେ ଏଭଳି ଗ୍ରାହକ ଅନୁକୂଳ ବିଜିନେସ୍ କରେସ୍ପଣ୍ଡେଣ୍ଟ ଏଜେଣ୍ଟ (ବ୍ୟାଙ୍କ ସଖୀ) ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସେବା ଯୋଗାଇ ଦିଆଯାଉଛି ବୋଲି ମୁଁ କେବେ ବି ଜ୍ଞାତ ନ'ଥିଲା । ବରିଷ୍ଠ ନାଗରିକମାନଙ୍କୁ ଏଭଳି ନିଜ ଘର ନିକଟରେ ବ୍ୟାଙ୍କିଂ ସେବା ଯୋଗାଇଦେବାର ବ୍ୟବସ୍ଥା କରିଥିବାରୁ ମୁଁ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛିା'

କୋଭିଡ ମହାମାରୀ ବେଳେ ସହାୟକ ସାଜିଛି ବ୍ୟାଙ୍କ ସଖୀ

କଟକ ଜିଲ୍ଲାର ସେହି ଗାଁର ବ୍ୟାଙ୍କ ସଖୀ ଭାବେ ନିୟୋଜିତ ସରସ୍ୱତୀ ମହାଳିକ କୁହନ୍ତି, ""କୋଭିଡ୍ ମହାମାରୀ ସମୟରେ ନିଜ ଘର ପାଖରେ ଏଭଳି ଅତ୍ୟାବଶ୍ୟକୀୟ ବ୍ୟାଙ୍କ୍ ସେବା ଯୋଗାଇଦେବା ସ୍ଥାନୀୟ ଜନସାଧାରଣଙ୍କୁ ବେଶ୍ ଆଶ୍ୱସ୍ତି ପ୍ରଦାନ କରିଛି । ବ୍ୟାଙ୍କ ସଖୀ ଭାବେ ନିୟୋଜିତ ହେବା ପରଠାରୁ ମୁଁ ମଧ୍ୟ ମୋ ପରିବାରର ରୋଜଗାର ବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ସହଯୋଗ କରିପାରିଛି । ଅଗମ୍ୟ ଅଞ୍ଚଳରେ ସାଧାରଣ ଲୋକଙ୍କୁ ବ୍ୟାଙ୍କସେବା ଯୋଗାଇଦେବା ନିମନ୍ତେ ଗଠିତ ଏହି ବାହିନୀର ଜଣେ ସଦସ୍ୟ ଭାବେ ମୁଁ ଗର୍ବ ଅନୁଭବ କରୁଛି ।'' ଅପ୍ରେଲ ୨୦୨୧ରୁ ଏହି ସେବାରେ ନିୟୋଜିତ ସରସ୍ୱତୀ ଏ ପର୍ଯ୍ୟନ୍ତ ୭୩ ଲକ୍ଷ ଟଙ୍କାର ଅର୍ଥ କାରବାର କରିପାରିଛନ୍ତି । ଏବେ କାଠଖୁଣ୍ଟା ଗ୍ରାମ ପଞ୍ଚାୟତର ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ବ୍ୟାଙ୍କ ସେବା ପାଇଁ ଆଉ ଦୀର୍ଘ ପଥ ଯିବାକୁ ପଡ଼ୁନାହିା । ବ୍ୟାଙ୍କ ସଖୀମାନଙ୍କ ଜରିଆରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କ ନିକଟରେ ପହଞ୍ଚୁଥିବା ଏହି ସେବା ସେମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି ।

ବ୍ୟାଙ୍କ ସଖୀ ବ୍ୟବସ୍ଥା କଣ ଅଟେ ?

ଯେଉଁ ଗ୍ରାମ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ୍ ନାହିଁ ସେଠାରେ ସାଧାରଣ ଲୋକଙ୍କୁ ସୁବିଧାରେ ବ୍ୟାଙ୍କ୍ ସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ନିମନ୍ତେ ଏକ ବିଶାଳ ଆହ୍ୱାନ ଥିଲା ସହଯୋଗୀ ବ୍ୟାଙ୍କଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଜନସାଧାରଣଙ୍କ ପାଇଁ ମୌଳିକ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ନିମନ୍ତେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ମହାସଂଘର ସଦସ୍ୟାମାନଙ୍କୁ ବ୍ୟାଙ୍କ୍ ସଖୀ ଭାବେ ନିୟୋଜିତ କରିବା ନେଇ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କଲେ । ଏଥି ପାଇଁ ବ୍ୟାଙ୍କ ସଖୀ ଭାବରେ ମିଶନ ଶକ୍ତି ବିଭାଗ ବିଭିନ୍ନ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଛି । ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ସଂଘର ସଦସ୍ୟାମାନଙ୍କୁ ଚୟନ କରିବା ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକୀୟ ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସକ୍ରିୟ ସଂପୃକ୍ତିକୁ ଦର୍ଶାଉଛି ।

କିଏ ହୋଇ ପାରିବ ବ୍ୟାଙ୍କ ସଖୀ ?

୧୮ରୁ ୪୫ ବର୍ଷ ବୟସର ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଯେଉଁମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ପାସ୍ ହୋଇଥିବ, ତଥା ସ୍ମାର୍ଟ ଫୋନର ବ୍ୟବହାର କରିପାରୁଥିବେ ସେମାନେ ଏହି ଅଭିନବ ଜୀବିକା କାର୍ଯ୍ୟକ୍ରମରେ ନିୟୋଜିତ ହୋଇପାରିବ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ୟସ୍ ବ୍ୟାଙ୍କ୍, ଆଇସିଆଇସିଆଇ ବ୍ୟାଙ୍କ୍, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ସହଭାଗିତାରେ ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ୧୨୫୨ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ବ୍ୟାଙ୍କିଂ ସେବାରେ ନିୟୋଜିତ ହୋଇଛନ୍ତି । ଏଥିପାଇଁ ଆବଶ୍ୟକୀୟ ବୈଷୟିକ ଉପକରଣ ସଂଗ୍ରହ ପାଇଁ ରାଜ୍ୟ ସରକାର ଏବଂ ନାବାର୍ଡ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରଥମ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟାଙ୍କ ସଖୀଙ୍କୁ ଆର୍ଥିକ ସୁରକ୍ଷା ପାଇଁ ପ୍ରତ୍ୟେକ ମାସରେ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଛି ।

ସଂଚୟ, ଜମା, ଅର୍ଥ ଉଠାଣ, ଅର୍ଥ ପ୍ରେରଣ, ବୀମା ଆଦି ବ୍ୟାଙ୍କ ସେବାକୁ ଉପଲବ୍ଧ କରାଇବା ଲକ୍ଷ୍ୟରେ ଏବଂ ଗ୍ରାମାଞ୍ଚଳରେ ଗୁଣାତ୍ମକ ତଥା ଫଳପ୍ରଦ ଆର୍ଥିକ ସେବା ଯୋଗାଇବା ଦିଗରେ ପରିବର୍ତ୍ତନକାରୀ ଜୀବିକା କାର୍ଯ୍ୟକ୍ରମ ଭାବେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ କାର୍ଯ୍ୟକଳାପରେ ସାମିଲ କରିବାରେ ବ୍ୟାଙ୍କ ସଖୀ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ବ୍ୟାଙ୍କ ସଖୀ ଭାବେ ମିଶନ ଶକ୍ତି ଏସ୍ଏଚଜିର ସଂପୃକ୍ତି ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ବୈଷୟିକ କୌଶଳ ପ୍ରୟୋଗରେ ମାଇକ୍ରୋ ଏଟିଏମକୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହୋଇଛି । କୋଭିଡ୍-୧୯ ମହାମାରୀର ଆହ୍ୱାନମୂଳକ ସ୍ଥିତିରେ ମଧ୍ୟ ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ମଧ୍ୟରେ ଏହି ବ୍ୟାଙ୍କସଖୀ ମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିବିଧ ବ୍ୟାଙ୍କିଂ ସେବା ଅତ୍ୟନ୍ତ ପ୍ରଶଂସନୀୟ ।

ଏ ପର୍ଯ୍ୟନ୍ତ ଏହି ବ୍ୟାଙ୍କ ସଖୀମାନଙ୍କ ଦ୍ୱାରା ପାଖାପାଖି ୨୩୦ କୋଟି ଟଙ୍କାର ଆର୍ଥିକ କାରବାର କରାଯାଇପାରିଛି । ବ୍ୟାଙ୍କ ସଖୀମାନେ ମାସିକ ୩ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ର ରାଜେନ୍ଦ୍ରପୁର ଗ୍ରାମପଞ୍ଚାୟତରେ ବ୍ୟାଙ୍କ ସଖୀ ଭାବେ କାର୍ଯ୍ୟରତ ଶ୍ରୀମତୀ ଚାନ୍ଦମଣି ଚାନ୍ଦ "କାଳିଆ', "ମମତା', "ଶ୍ରମିକ କାର୍ଡ' ଆଦି ବିଭିନ୍ନ ସରକାରୀ ଯୋଜନାରେ ଆର୍ଥିକ କାରବାର କରି ବେଶ୍ ସଫଳ ହୋଇଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କ ଦ୍ୱାରା ପ୍ରାୟ ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ କାରବାର ହୋଇପାରିଛି । ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧି, ମହିଳା ଉଦ୍ୟୋଗୀ ସୃଷ୍ଟି, ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରିବା ତଥା ମହିଳାମାନଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ମାଧ୍ୟମରେ ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ୫-"ଟି' ଉପକ୍ରମରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଷ୍ପତ୍ତି ଗ୍ରହଣ, ସଂଯୋଜନ ପ୍ରକ୍ରିୟାରେ ଦଳଗତ ପ୍ରଚେଷ୍ଟା, ସ୍ୱଚ୍ଛତା ଅବଲମ୍ବନ, ବୈଷୟିକ ଜ୍ଞାନର ପ୍ରୟୋଗ ମାଧ୍ୟମରେ ନିଆଯାଉଥିବା ପଦକ୍ଷେପ ଯୋଗୁ ମହିଳା ସଶକ୍ତିକରଣ ଦିଗରେ ଆଖିଦୃଶିଆ ପରିବର୍ତ୍ତନ ଆସିିପାରିଛି । ତ୍ୱରିତ ପ୍ରଶାସନିକ ପଦକ୍ଷେପ, ଅଭିନବ ସଂଯୋଜନ, ଅନୁକୂଳ ନୀତି ନିର୍ଦ୍ଧାରଣ ସହ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ "ବ୍ୟାଙ୍କ୍ ସଖୀ' ଭାବେ ନିୟୋଜନ କରିବା ସେମାନଙ୍କ ସାମଗ୍ରିକ ବିକାଶରେ ଏକ ନୀରବ ସାମାଜିକ-ଆର୍ଥିକ ବିପ୍ଳବର ରୂପ ନେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+