ବଡ ସୂଚନା ଦେଲେ ମନ୍ତ୍ରୀ; ଖାଲି ରହିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୩ ସଙ୍ଗୀତ ଶିକ୍ଷକ ପଦବୀ
ରାଜ୍ୟର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୩ଟି ସଙ୍ଗୀତ ଶିକ୍ଷକ ପଦବୀ ଖାଲି ରହିଛି। ବିଭିନ୍ନ ନ୍ୟାୟାଳୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ମାମଲା ବିଚାରାଧୀନ ଥିବାରୁ ଖାଲିଥିବା ପଦବୀଗୁଡ଼ିକରେ ୨୦୧୯ ମସିହାରୁ ନିଯୁକ୍ତି ପ୍ରକ୍ରିୟା ହୋଇପାରି ନାହିଁ ବୋଲି ଶୁକ୍ରବାର ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ୨୦୧୬-୧୭ ଏବଂ ୨୦୧୭-୧୮ ମସିହାରେ ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ଏବଂ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସଂଖ୍ୟା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରେ ୧୧୧ ସଙ୍ଗୀତ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ୩୭ ଜଣଙ୍କ ନିଯୁକ୍ତି ପ୍ରଦାନ କରାଯାଇଥିଲା।
ସେହିପରି ୨୦୧୭ରେ ୧୧୬ ଜଣ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ୨୬ ଜଣ ନିଯୁକ୍ତି ପାଇଥିଲେ। ଏହି ସମୟ ମଧ୍ୟରେ ମୋଟ ୨୨୭ ଜଣ ସଙ୍ଗୀତ ଶିକ୍ଷକଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମୋଟ ୬୩ ଜଣଙ୍କୁ ନିଯୁକ୍ତି ମିଳିଥିଲା।
ଜାତୀୟ ଶିକ୍ଷାନୀତି ୨୦୨୦ ପାଠ୍ୟକ୍ରମ ଅନୁଯାୟୀ ଭାରତୀୟ ଭାଷା, ସଙ୍ଗୀତ,କଳା ଓ ସଂସ୍କୃତି ଅନ୍ତର୍ଗତ ଅଧ୍ୟୟନ ସମ୍ବନ୍ଧରେ ସୂଚନା ରହିଛି। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ବିଭିନ୍ନ ଅଭିଜ୍ଞମାନଙ୍କୁ ନେଇ ଗଠିତ କମିଟିର ମତାମତ ଅଧାରରେ ସଙ୍ଗୀତ ଶିକ୍ଷକ ନିଯୁକ୍ତି ସମ୍ବନ୍ଧରେ ବିଚାର କରି ସରକାର ବିହିତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications