ଓଡିଶାରେ ଖୁବଶୀଘ୍ର ଗଡିବ ମେଟ୍ରୋ: ଡିପିଆର୍ ରିପୋର୍ଟ ମାଗିଲା DMRC
ଭୁବନେଶ୍ବର: ରାଜ୍ୟ ସରକାର ଭୁବନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆକୁ ମେଟ୍ରୋ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଡିପିଆର୍ ପ୍ରସ୍ତୁତ କରିବା ଦାୟିତ୍ବ ଓଡ଼ିଶା ରେଳ ଭିତ୍ତିଭୂମି ଉନ୍ନୟନ ସଂସ୍ଥା ଲିମିଟେଡ (ଓଆର୍ଆଇଡିଏଲ୍) ମାଧ୍ୟମରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍ଆର୍ସି)କୁ ଦିଆଯାଇଛି । ଏପଟେ ଡିଏମ୍ଆର୍ସି ଡିପିଆର୍ ପ୍ରସ୍ତୁତ କରିବା ପୂର୍ବରୁ ଓଆର୍ଆଇଡିଏଲ୍କୁ ଭୁବନେଶ୍ବର ନେଇ ପ୍ରସ୍ତୁତ ହୋଇଥିବା ବିସ୍ତୃତ ଗମନାଗମନ ଯୋଜନା (ସିଏମ୍ପି) ରିପୋର୍ଟ ମାଗିଛି ।

ଭୁବନେଶ୍ୱରର ୬୭ଟି ଯାକ ୱାର୍ଡର ମ୍ୟାପ, ସୀମା, କେଉଁ ୱାର୍ଡରେ କେତେ ଲୋକ କାମ କରୁଛନ୍ତି, ତାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱରର କେଉଁ ରୁଟରେ କେତେ ସିଟି ବସ୍ ଚାଲୁଛି, କେତେ ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି, କେଉଁଠି କେତେ ଷ୍ଟପେଜ ଅଛି, କେଉଁ ଅଞ୍ଚଳରେ ଲୋକ ଅଧିକ ସିଟି ବସ୍ ବ୍ୟବହାର କରୁଛନ୍ତି, ଭବିଷ୍ୟତରେ ଆଉ କେଉଁଠି ମୋ ବସ୍ ଚାଲିବ, ଏସବୁର ବିସ୍ତୃତ ରିପୋର୍ଟ ମାଗିଛି DMRC ।
କର୍ତ୍ତୃପକ୍ଷ କହିଛନ୍ତି, ଏହି ରିପୋର୍ଟ ତୁରନ୍ତ ଦେଲେ ଯାଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ। ହେଲେ ନଗର ଉନ୍ନୟନ ବିଭାଗ ପାଖରେ ଏବେ ବିସ୍ତୃତ ରିପୋର୍ଟ ନାହିଁ। ଏଣୁ ୨୦୧୮ ମସିହାରେ ବିଡିଏ ପକ୍ଷରୁ ଜିଆଇଜେଡ୍ ସହାୟତାରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ପ୍ରଦାନ କରିବାକୁ ଯୋଜନା ହେଉଥିବା ଜଣାପଡ଼ିଛି।
ଭୁବନେଶ୍ୱରରେ କେଉଁ ପ୍ରକାର ଗାଡ଼ି ଚଳାଚଳର ଯୋଜନା ଅଛି, କେଉଁ ଅଞ୍ଚଳରେ କେତେ ପୁଟ ରାସ୍ତା ଅଛି, ଭବିଷ୍ୟତେର ଏହାକୁ କେତେ ସଂପ୍ରସାରଣ କରାଯିବ, କେଉଁ ଅଞ୍ଚଳରେ ନୂଆ ରାସ୍ତା ନିର୍ମାଣ କରିବାର ଯୋଜନା ଅଛି, କେଉଁଠି ଭବିଷ୍ୟତରେ ସଂପ୍ରସାରଣ ହେବ, କେତେ ଜମି ଅଛି, ସେଠାରେ କ'ଣ କରିବାର ଯୋଜନା ଅଛି, ଏହାର ବିସ୍ତୃତ ରିପୋର୍ଟ ମାଗିଛି DMRC ।
ମେଟ୍ରୋ ଚାଲିବାକୁ ଥିବା ଅଞ୍ଚଳରେ କେତେ ଲୋକ ସିଟି ବସରେ ଯିବା ଆସିବା କରୁଛନ୍ତି, ଆଗରୁ ମେଟ୍ରୋ କେଉଁ ଅଞ୍ଚଳକୁ ସଂପ୍ରସାରିତ ହେବ, ସେହି ସ୍ଥାନକୁ ସିଟି ବସ୍ ଚାଲୁଛି କି ନାହିଁ, ନିୟମିତ ଭାବେ ସିଟି ବସରେ କେତେ ଲୋକ ଯାତ୍ରା କରୁଛନ୍ତି, କେଉଁ ବସ୍ଷ୍ଟାଣ୍ଡରେକେତେ ଲୋକ ଚଢୁଛନ୍ତି, ଓହ୍ଲାଉଛନ୍ତି ତାର ତଥ୍ୟ ମଧ୍ୟ ମଗାଯାଇଛି । ଭୁବନେଶ୍ୱରରେ ବାଇକ, ସ୍କୁଟି, କାର୍, ଅଟୋ, ବସ୍ କେତେ ଅଛି, ତାର ମଧ୍ୟ ରିପୋର୍ଟ ଦେବାକୁ କୁହାଯାଇଛି ।
ରାଜ୍ୟ ସରକାର ଧାର୍ଯ୍ୟ ସମୟରେ ମେଟ୍ରୋ ରେଳ ପ୍ରକଳ୍ପ କରିବାକୁ ଯୋଜନା କରିଥିବାରୁ ଏଲିଭେଟେଡ୍ କରିଡରରେ ମେଟ୍ରୋ ଚଳାଚଳ ନେଇ ଡିପିଆର୍ ପ୍ରସ୍ତୁତ କରିବାକୁ ହେଲେ ଏହି ସବୁ ତଥ୍ୟ ଠିକ୍ ସମୟରେ ମିଳିବା ଦରକାର। ଏନେଇ ଓଆର୍ଆଇଡିଏଲ୍ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ଯୋଗାଯୋଗ କରି ରିପୋର୍ଟ ଦେବାକୁ ଡିଏମ୍ଆର୍ସି ପକ୍ଷରୁ କୁହାଯାଇଛି ।












Click it and Unblock the Notifications