୫ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ୭ରୁ ପୁଣି ରାଜ୍ୟରେ ଫେରିବ ତାତି
ଆଜି ବି ଘଡ଼ଘଡ଼ି ସହ ବର୍ଷା। କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚୁଛି। ରାଜଧାନୀ ଭୁବନେଶ୍ୱରରେ ତ ପ୍ରାୟ ପ୍ରତ୍ୟେକ ଦିନ ବର୍ଷା ହେଉଛି। ଏହାସହ ଆଜି ବି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଗଜପତି।

ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ପାଞ୍ଚଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି, ବର୍ଷା ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ଏଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଝଡ଼ବର୍ଷା ସମୟରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି।
ଏହାସହ ଆସନ୍ତାକାଲି ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ ଅନୁଗୁଳ, ସୁନ୍ଦରଗଡ଼, ଢ଼େଙ୍କାନାଳ, ରାୟଗଡ଼ା ଓ କୋରାପୁଟ।
ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୪୦ରୁ ୫୦ କିମି ବେଗରେ ପବନ ବହିବା ଅନୁମାନ। ୭ ମେ' ପରେ ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ୨ ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା।












Click it and Unblock the Notifications