ରାଜ୍ୟରେ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ହେବା ପୂର୍ବାନୁମାନ
ଭୁବନେଶ୍ୱର : ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ହେବା ପୂର୍ବାନୁମାନ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା: କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଯାଜପୁର, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ନୂଆପଡା, ସମ୍ବଲପୁର ନବରଙ୍ଗପୁର ଏବଂ ରାୟଗଡ଼ା ।

ଆସନ୍ତା ଅକ୍ଟୋବର ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ହେବା ସହ ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବା ସହ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସମୁଦ୍ର ପତ୍ତନ ଠାରୁ ୩.୧ କିଲୋମିଟର ଉଚ୍ଚତାରେ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଛି।
ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ରହିଛି ବୋଲି ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।












Click it and Unblock the Notifications