ସ୍ୱଚ୍ଛତା ଭିତ୍ତିରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା; ନଭେମ୍ବର ୩ରୁ ଆରମ୍ଭ ପରୀକ୍ଷା
ଭୁବନେଶ୍ଵର: ସ୍ୱଚ୍ଛତା ଭିତ୍ତିରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ପରୀକ୍ଷାରେ କିପରି ସ୍ୱଚ୍ଛତା ରହିବ ସେ ନେଇ ଶିକ୍ଷା ବିଭାଗ ତରଫରୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇ ଯାଇଛି । ଏହି ବୈଠକରେ କିଛି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ଯାହା ଦ୍ଵାରା ପରୀକ୍ଷା ସ୍ୱଚ୍ଛତା ଭିତ୍ତିରେ ରହିବ । ଶିକ୍ଷାକୁ ସର୍ବଦା ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ପଦବୀ ବାହାର କରିଛନ୍ତି । ଆଉ ସେଥିପାଇ ଚଳିତ ନଭେମ୍ବର ୩ରୁ ପରୀକ୍ଷା ଆରମ୍ଭ ହେବ ।
ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ୍ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି ।
୨୦ ହଜାର କନିଷ୍ଠ ଶିକ୍ଷକ(ସ୍କମାଟିକ)ମାନଙ୍କର ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ୩୦ଟି ଜିଲ୍ଲାର ୫୮ଟି ପରୀକ୍ଷା କେନ୍ଦ୍ରମାନଙ୍କରେ ସି.ବି.ଟି.(C.B.T) ପରୀକ୍ଷା ଚଳିତ ନଭେମ୍ବର ମାସ ୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ମୋଟ ୭ ଦିନ ହେବ ।

ଜିଲ୍ଲାସ୍ତରର ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିର ସଠିକ୍ ବିବରଣୀ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ଉଦ୍ବୋଧନ ଦେଇ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପରୀକ୍ଷା କେନ୍ଦ୍ରର ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାର ପୋଲିସ ଅସ୍ଵୀକାରୀ ପରୀକ୍ଷା କେନ୍ଦ୍ରରେ ପୋଲିସ୍ ଡିପ୍ଲୋମେଣ୍ଟ ନିମନ୍ତେ ପଦକ୍ଷେପ ନେଇଛନ୍ତି ।
ରାଜ୍ୟସ୍ତରରେ ବିଭାଗର ଏବଂ ଅନ୍ୟ ନିର୍ଦ୍ଦେଶାଳୟର ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ଵ ଦିଆଯାଇଛି । ବରିଷ୍ଠ ଅଧିକାରୀମାନେ ପରୀକ୍ଷା ଦିନମାନଙ୍କରେ ଜିଲ୍ଲା ଗସ୍ତ କରିବା ସହ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଶାନ୍ତିଶୃଙ୍ଖଳା ସହିତ ପରୀକ୍ଷା କରାଯିବ ତାହା ତଦାରଖ କରିବେ । ଉକ୍ତ ପରୀକ୍ଷା ନିମନ୍ତେ ପିଲାମାନଙ୍କର ଆଡ୍ମିଟ୍ କାର୍ଡ ସମସ୍ୟାର ସମାଧାନ ପାଇଁ ଓସେପାରେ ଏକ ସୁବିଧା କେନ୍ଦ୍ର ଖୋଲାଯାଇଛି ।
ଏତଦ୍ବ୍ୟତୀତ ୪ଟି ସହର ଯଥା - ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ଵର ଓ କୋରାପୁଟ ଜିଲ୍ଲାରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟକ କେନ୍ଦ୍ର ଖୋଲା ଯାଇଅଛି । ଏଥିସହିତ ଓସେପା କାର୍ଯ୍ୟାଳୟର ପରିସର ମଧ୍ୟରେ ଏକ କମାଣ୍ଡ ସେଣ୍ଟର ଖୋଲାଯାଇଛି ଯାହା ଦ୍ଵାରା କି ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସି.ସି. କ୍ୟାମେରା ଦ୍ଵାରା ପରୀକ୍ଷା କିଭଳି ହେଉଛି ତାହା ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ପରିଚାଳନା କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବିଭାଗୀୟ ବରିଷ୍ଠ ପଦାଧ୍ୟାକାରୀମାନେ ଭର୍ଟୁଆଲ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ ।












Click it and Unblock the Notifications