ନିର୍ଦ୍ଧାରିତ ସମୟରେ ମାଟ୍ରିକ ରେଜଲ୍ଟ; ୭ ଦିନ ମଧ୍ୟରେ ମିଳିବ ଡିଜିଟାଲ ସାର୍ଟିଫିକେଟ
ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ନିର୍ବାଚନ କାମ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ବି ମାଟ୍ରିକ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ । ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ, ଗତକାଲିଠୁ ଖାତାଦେଖା ଆରମ୍ଭ ହୋଇଥିବା ବେଳେ ୨୮ ସୁଦ୍ଧା ତାହା ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ । ରେଜଲ୍ଟ ପ୍ରକାଶର ୭ ଦିନ ମଧ୍ୟରେ ମିଳିବ ଏହି ସାର୍ଟିଫିକେଟ । ଆଜି ବୋର୍ଡ ପକ୍ଷରୁ ପ୍ରେସମିଟରେ ଏହି ସୂଚନା ଦିଆଯାଇଛି । ଖାତା ଦେଖାକୁ ନିର୍ଭୂଲ କରିବାକୁ ଚଳିତ ବର୍ଷ 'ଚେକର ଓ ମେକର' ବ୍ୟବସ୍ଥା କରାଯାଇଛି। ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ହେଡଅଫିସ ଓ ଟେକନିକାଲ ଫାର୍ମ ସହ ଯୋଗାଯୋଗ ରହିଛି ।

ଏଥିସହ ସେ କହିଛନ୍ତି, କଡ଼ା ସୁରକ୍ଷା ବ୍ୟବସ୍ଥାରେ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଚାଲିଛି। ଖାତାଦେଖାରେ ନିୟୋଜିତ ଶିକ୍ଷକଶିକ୍ଷୟିତ୍ରୀ ସେଣ୍ଟର ସୁପରଭାଇଜର ଓ କ୍ୟାମ୍ପ ଅଫିସରଙ୍କ ନିକଟରେ ନିଜ ମୋବାଇଲ ହସ୍ତାନ୍ତର କରି ଭିତରକୁ ଯାଉଛନ୍ତି। ଖରାକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କେନ୍ଦ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡ଼ିଲେ ଖାତା ଦେଖା ସମୟ ସକାଳୁ ବି କରାଯାଇ ପାରିବ ବୋଲି ସେ କହିଛନ୍ତି।
ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୭୯ ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି। ୩୦ଟି ଜିଲ୍ଲାରେ ୫୫ ଖାତାଦେଖା ସେଣ୍ଟର ହୋଇଛି। ୧୬,୨୩୫ ଶିକ୍ଷକ ନିୟୋଜିତ ହୋଇଛନ୍ତି ।
ନିର୍ବାଚନ ଡ୍ୟୁଟି ଯୋଗୁ ଶିକ୍ଷକମାନେ ଖାତା ଦେଖା ସହ ସେଥିରେ ମଧ୍ୟ ନିୟୋଜିତ ହେଉଛନ୍ତି। ଏଥିଯୋଗୁ ସାମାନ୍ୟ ଅଧିକ ଚାପ ପଡ଼ୁଥିଲେ ବି ନିର୍ଦ୍ଧାରିତ ସମୟରେ ରେଜଲ୍ଟ ବାହାର କରିବାକୁ ଟାର୍ଗେଟ ରଖାଯାଇଛି ବୋଲି କହିଛନ୍ତି ବୋର୍ଡ ସଭାପତି ।












Click it and Unblock the Notifications