ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂର; ୧୮୦ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ
ଦୂର ହେଲା ମାତୃତ୍ବ ଛୁଟି ଦ୍ବନ୍ଦ୍ବ ସମସ୍ୟା । ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିର ହେଲା। ସମ୍ଭାବ୍ୟ ପ୍ରସବର ୩ ମାସ ପୂର୍ବରୁ ନେଇ ହେବ ଛୁଟି । ପ୍ରସବ ତାରିଖର ୬ ମାସ ମଧ୍ୟରେ ଛୁଟି ଅନୁମତି। ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇ ହେବ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି ।
ଏହାସହ ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗଦେବା ପରେ, ମାତୃତ୍ଵ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ୍ବ ଥିଲା । ସେ ସମସ୍ୟା ମଧ୍ୟ ଦୂର ହୋଇପାରିଛି । ଏହା ସହିତ ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି ।

ନୂତନ ନିଷ୍ପତ୍ତି ଅନୁଯାୟୀ- ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ୬ ମାସ ମଧ୍ୟରେ, ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ଵ ଛୁଟି ନେଇପାରିବେ । କିନ୍ତୁ, ଜଣେ ମହିଳା ସରକାରୀ କର୍ମଚାରୀ ଯିଏ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥିଲେ, ସେ ସରକାରୀ ସେବାରେ ଯୋଗଦେବା ପରେ, ତାଙ୍କର ଶିଶୁକୁ ୬ ମାସ ହେବା ପର୍ଯ୍ୟନ୍ତ ମାତୃତ୍ଵ ଛୁଟି ନେଇପାରିବେ । ତେଣୁ ଏହି କ୍ଷେତ୍ରରେ, ମାତୃତ୍ବ ଛୁଟି ୧୮୦ ଦିନରୁ କମ୍ ହେବ ।
ଦୁଇଟିରୁ କମ୍ ଜୀବିତ ପିଲା ଥିବା ମହିଳା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ, ଏହି ମାତୃତ୍ଵ ଛୁଟି ପ୍ରଦାନ କରାଯିବ । ଶିଶୁ ପ୍ରସବ ଯେକୌଣସି ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ ।
ଯଦି ମାତୃତ୍ବ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ଉଚ୍ଚ ପଦବୀରେ ଯୋଗଦାନ ରିପୋର୍ଟ ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ, ସେହିଦିନ ସେ ସେହି ଉଚ୍ଚ ପଦବୀରେ ଯୋଗଦେଲେ ବୋଲି ଧରାଯିବ । ସେ ତାଙ୍କର ମାତୃତ୍ବ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ ।
ଜଣେ ମହିଳା ସରକାରୀ କର୍ମଚାରୀ ତାଙ୍କର ମାତୃତ୍ବ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ












Click it and Unblock the Notifications