ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମନମୋହନଙ୍କ କଡ଼ା ଜବାବ, କହିଲେ ଅଭିଯୋଗ ଭିତ୍ତିହୀନ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ । ସମ୍ବଲପୁରରେ ଶ୍ରମିକଙ୍କୁ ପିଟିପିଟି ମାରିଦେବା ପ୍ରସଂଗରେ ମମତା ବାନାର୍ଜିଙ୍କ ପୋଷ୍ଟକୁ ଟାର୍ଗେଟ୍ କରି ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ହେଉ ଅବା ପଶ୍ଚିମବଙ୍ଗରେ ହେଉ, ଭାରତରେ କେଉଁଠି ବି ଶ୍ରମିକଙ୍କ ଉପରେ ନିର୍ଯାତନା ଗ୍ରହଣୀୟ ନୁହେଁ । ମାନବାଧିକାରକୁ ଉଲ୍ଲଙ୍ଘନ କରିବା ଠିକ୍ ନୁହେଁ । ଏହା ବିରୋଧୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ହେଲେ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଅଯଥା ବିଳିବିଳି ହେଉଛନ୍ତି । ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗରେ ନିର୍ବାଚନ ଥିବା କାରଣରୁ ମମତା ଏମିତି ହେଉଛନ୍ତି ନା ଅନ୍ୟ କିଛି ତାଙ୍କର ଉଦ୍ଦେଶ୍ୟ ରହିଛି । ମମତା ବାନାର୍ଜିଙ୍କ ଅଭିଯୋଗର କୌଣସି ଭିତ୍ତି କିମ୍ବା ଆଧାର ନାହିଁ । ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି କରିବା ଠିକ୍ ନୁହେଁ, ଏହା ଅତ୍ୟନ୍ତ ନିନ୍ଦନୀୟ । ଭବିଷ୍ୟତରେ ଏମିତି ଘଟଣା ଯେମିତି ବାରମ୍ବାର ନଘଟିବ, ତା' ଉପରେ ଆଲୋଚନା କରିବା ଉଚିତ୍ । ଦୋଷୀଙ୍କ ବିରୋଧୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟକୁ ଜବାବ ଦେଇ ଏଭଳି କହିଛନ୍ତି ।

ସମ୍ବଲପୁରର ଏକ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପଶ୍ଚିମବଙ୍ଗ ମଖ୍ୟମନ୍ତ୍ରୀ ମମତା ବାନାର୍ଜି । ସମ୍ବଲପୁର ଜାଙ୍ଗିପୁର ଅଞ୍ଚଳର କିଛି ପ୍ରବାସୀ ଶ୍ରମିକଙ୍କ ଉପରେ ବିଭିନ୍ନ ପ୍ରକାରର ଅତ୍ୟାଚାର ଘଟିଛି । ଡିସେମ୍ବର ୨୪ରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହୃଦୟବିଦାରକ ଘଟଣା ବୋଲି କହିଥିଲେ ମମତା । ମୁର୍ଶିଦାବାଦର ପ୍ରବାସୀ ଶ୍ରମିକମାନେ ଓଡ଼ିଶାରୁ ଭୟଭୀତ ହୋଇ ଘରକୁ ଫେରୁଛନ୍ତି । ଆମେ ସେମାନଙ୍କ ପରିବାର ସହିତ ଛିଡ଼ା ହୋଇଛୁ । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି, ପ୍ରତ୍ୟେକ ବିଜେପି ଶାସିତ ରାଜ୍ୟରେ ବଙ୍ଗାଳୀ ଭାଷାଭାଷୀ ଲୋକଙ୍କ ଉପରେ ହୋଇଥିବା ନିଷ୍ଠୁର ଅତ୍ୟାଚାର ଏବଂ ନିର୍ଯାତନାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଆମେ ନିର୍ଯାତିତ ପ୍ରବାସୀ ବଙ୍ଗାଳୀ ଭାଷାଭାଷୀ ପରିବାରଙ୍କ ସହିତ ଠିଆ ହୋଇଛୁ ଏବଂ ପରିବାରଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବୁ । କୌଣସି ମୂଲ୍ୟ ମାନବ ଜୀବନର କ୍ଷତିପୂରଣ ଦେଇପାରିବ ନାହିଁ । ହେଲେ ଯେଉଁ କ୍ଷେତ୍ରରେ ମୃତ୍ୟୁ ଘଟୁନା କାହିଁକି ଆମେ ଆର୍ଥିକ କ୍ଷତିପୂରଣ ଦେବା ପାଇଁ ପ୍ରତିବଦ୍ଧ ବୋଲି ମମତା ପୋଷ୍ଟରେ ଲେଖିଛନ୍ତି ।












Click it and Unblock the Notifications