ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା: ଯୋଗାଣ ମନ୍ତ୍ରୀ କହିଲେ ଚାଉଳ ଅଭାବରୁ ମୃତ୍ୟୁ ହୋଇନାହିଁ
କନ୍ଧମାଳ : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଆମ୍ବ ଟାକୁଆ ଜନିତ ମୃତ୍ୟୁ। ଅକ୍ଟୋବର ୩୦ ତାରିଖରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଆକ୍ରାନ୍ତ ଓ ମୃତବ୍ୟକ୍ତି ମାନେ ତାଙ୍କର ନିୟମିତ ଖାଦ୍ୟ ଅଭ୍ୟାସ ଭାବରେ ପଖାଳ ଓ ଆମ୍ବଟାକୁଆ ଜାଉ ଖାଇଥିଲେ। ଫୁଡ ପଏଜନିଙ୍ଗ କାରଣରୁ ସେମାନେ ଅସୁସ୍ଥ ହୋଇ ପଡିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ଆମ୍ବ ଟାକୁଆ ଜନିତ ମୃତ୍ୟୁକୁ ବିଜେପି ଚପାଇ ଦେବାକୁ ଚାହୁଁଥିବା ବେଳେ ରାଶାନ ଚାଉଳ ନପାଇବାରୁ ସେମାନେ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଇ ମୃତ୍ୟୁ ମୁଖରେ ପଡିଥିବା ବିଜେଡ଼ି ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି। ଏହାକୁ କଡା ବିରୋଧ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଉଳ ଯୋଗାଣ ପାଇଁ ସେମାନଙ୍କ ମୃତ୍ୟୁ ହୋଇନାହିଁ। ବରଂ ଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ଯ। ଏହାକୁ ନେଇ ଡାକ୍ତର ମଧ୍ୟ ରିପୋର୍ଟ ଦେଇଛନ୍ତି ।
ସେମାନଙ୍କର ଫୁଡ଼ ପଏଜନ ଜନିତ ମୃତ୍ୟୁ ହୋଇଥିବା ମନ୍ତ୍ରୀ କହିଛନ୍ତି। ଏହାକୁ ନେଇ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏବଂ ଜିଲ୍ଲାପାଳ ମଧ୍ୟ ଏହି ଘଟଣା ସମ୍ପର୍କରେ ରିପୋର୍ଟ ମଧ୍ୟ ଦେଇଛନ୍ତି। ଚାଉଳ ଅଭାବରୁ ସେମାନଙ୍କ ମୃତ୍ୟୁ ହୋଇନଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ସେମାନେ ୩ ମାସର ଚାଉଳ ନେଇଛନ୍ତି। ବିରୋଧିଙ୍କ କହିବା ଅନୁଯାୟୀ ଚାଉଳ ଅଭାବରୁ ମୃତ୍ୟୁ ମିଥ୍ୟା ବୋଲି ସେ କହିଛନ୍ତି।












Click it and Unblock the Notifications