ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ପାଳନ ହେବ ମାଣ୍ଡିଆ ଦିବସ
ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ମାଣ୍ଡିଆ ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।
ଭୁବନେଶ୍ବର: ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ମାଣ୍ଡିଆ ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏନେଇ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ ।

ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଓ ବ୍ୟବହାର ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ଚଳିତ ବର୍ଷ ନଭେମ୍ବର ୧୦ ତାରିଖରେ ପଡୁଛି ମାର୍ଗଶିର ମାସ ପ୍ରଥମ ଗୁରୁବାର। ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ମିଲେଟ ମିଶନ । ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି ।
ଉଲ୍ଲେଖଯୋଗ୍ୟ ପୁଷ୍ଟିରେ ଭରପୁର ମାଣ୍ଡିଆ । ଏଥିରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ନିମିକି, ସେଓ, ପିଠା, ଛତୁଆ ଆଦି ସ୍ବାଦିଷ୍ଟ ଓ ଶରୀର ପାଇଁ ହିତକର । ଓଡ଼ିଶାରେ ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ୱାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି। ଏହା ଚାଷୀଙ୍କ ଚାଷଜମି ଓ ଲୋକଙ୍କ ଦୈନିକ ଆହାରରେ ମିଲେଟ୍କୁ ପୁର୍ନଜୀବିତ କରି ଅନେକ ଚାଷୀଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି। ଏହି ମିଲେଟ୍ ମିଶନ୍ ମାଧ୍ୟମରେ ଗ୍ରାମୀଣ ତଥା ସହରାଞ୍ଚଳର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି। କେବଳ ସେତିକି ନୁହେଁ, ମାଣ୍ଡିଆର ବ୍ୟବହାର ବଢ଼ାଇବା ପାଇଁ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍ ମିଶନ୍ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ସହର ତଥା ଗ୍ରାମାଞ୍ଚଳର ମିଲେଟ୍ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାରପ୍ରସାର ପାଇଁ ମିଶନ୍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକି ଦେଶରେ ପ୍ରଥମ। ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍ ମିଶନ୍ ଦ୍ୱାରା ନିଆଯାଇଥିବ ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ଏହାସହିତ ଭାରତ ସରକାର ମିଲେଟ୍ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲ୍କୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି।












Click it and Unblock the Notifications