ଲଗାଣ ବର୍ଷାରେ ବୁଡିଲା ମାଲକାନଗିରି ସ୍ଥିତି ସଙ୍ଗୀନ, ପୋଲ ଉପରେ ୧୦ ଫୁଟର ପାଣି
ଲଗାଣ ବର୍ଷାରେ ମାଲକାନଗିରି ସ୍ଥିତି । ସଙ୍ଗୀନ, ପୋଲ ଉପରେ ପାଣି ପ୍ରବାହିତ। ପାଙ୍ଗମ, ଏମ୍ଭି ୭, ଏମ୍ଭି ୯୦ ଆଦି ଅନେକ ପୋଲରେ ୧୦ ଫୁଟ ପାଣି।
ପୋଟେରୁ ସହରର ଅନେକ ଘର ଭିତରେ ପଶିଲା ବର୍ଷା ପାଣି। ପୋଲ ଓ ରାସ୍ତା ଉପରେ ପାଣି ଯୋଗୁଁ ଯାତାୟାତ ଠପ୍।

ସୋମବାର ସକାଳ ସୁଦ୍ଧା ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ଅତିରୁ ଅତିପ୍ରବଳ(୨୦୦ ମିଲିମିଟରରୁ ଅଧିକ) ବର୍ଷା ହୋଇପାରେ। ତାହାକୁ ନଜରରେ ରଖି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ(୧୨୦ରୁ ୨୦୦ ମିମି)ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୧୦ ତାରିଖ ପୂର୍ବାହ୍ନଠାରୁ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ କମିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅବପାତ ପ୍ରଭାବରେ ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୪୫ରୁ ୬୫ କିମି ବେଗରେ ପବନ ହେଉଛି। ସ୍ଥଳ ବିଶେଷରେ ପବନର ବେଗ ୬୫ କିମି ଛୁଇଁଛି। ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ଉପକୂଳ ନିକଟରେ ଗତି କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଏବଂ ସ୍ଥଳ ବିଶେଷରେ ୭୦ କିମି ଛୁଇଁପାରେ। ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିବାକୁ ଥିବା ବେଳେ ୧୦ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପବନର ବେଗ ୫୦ରୁ ୬୦ କିମି ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋପାଳପୁର ଓ ପୁରୀ ବନ୍ଦରରେ ୩ ନମ୍ବର ଏବଂ ପାରାଦୀପ ଓ ଧମରା ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଓ ସଂଲଗ୍ନ ଉତ୍ତରପୂର୍ବ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ବରଗଡ଼, ବୌଦ୍ଧ, ଗଞ୍ଜାମ, ଜଗତ୍ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ପୁରୀ ଓ ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।












Click it and Unblock the Notifications