ଶ୍ରୀକୃଷ୍ଣ, ଅର୍ଜୁନ ଓ ନାଗାର୍ଜୁନ : କାହିଁକି ମଳତିଥିରେ ବେଶ ହୁଅନ୍ତି ମହାପ୍ରଭୁ
କାହିଁକି ମଳତିଥିରେ ନାଗାର୍ଜୁନ ବେଶ ହୁଅନ୍ତି ମହାପ୍ରଭୁ
ପିତୃ ଶ୍ରାଦ୍ଧ ନିମିତ୍ତ ଗଣ୍ଡା ମାଂସର ଆବଶ୍ୟକତା ଥିବାରୁ ଅର୍ଜୁନ ଗଣ୍ଡାମାଂସ ଅନ୍ୱେଷଣରେ ବାହାରିଲେ । ରୁଦ୍ର ପର୍ବତ ତଳେ ଥିବା ହର ଉଦ୍ୟାନରେ ଗୋଟିଏ ଗଣ୍ଡା ଥିବା ନାରଦ କହିଥିଲେ । ନାନା ରତ୍ନାଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣାକୁ ଆସିବା ସମୟରେ ଲତା ଗହଳରେ ଲୁଚି ରହିଥିବା ଅର୍ଜୁନ ଶର ନିକ୍ଷେପ କଲେ । ସେଠାରେ ପ୍ରଚଣ୍ଡ ଶଦ୍ଦ କରି ଗଣ୍ଡା ମୃତ୍ୟୁ ବରଣ କଲା । ସେହି ଗଣ୍ଡାର ରକ୍ଷଣାବେକ୍ଷଣ ଦାଇତ୍ୱରେ ରହିଥିଲେ ନାଗାର୍ଜୁନ । ଅର୍ଜୁନଙ୍କ ଶିକାର ସମୟରେ ନାଗାର୍ଜୁନ ମା'ଙ୍କ ନିକଟକୁ ଯାଇଥିଲେ । ଫେରିବା ସମୟରେ ଗଣ୍ଡାର ମୃତ ଶରୀର ଦେଖି କ୍ରୋଧିତ ହୋଇ ଯାଇଥିଲେ ।
ଅର୍ଜୁନଙ୍କ ଚିତାରେ ଗ୍ରହଣ କରି ନାଗାର୍ଜୁନ ମା' ସନ୍ଧ୍ଯାବାଳୀ ନିକଟକୁ ଯାଇ ସବୁ କଥା କହିଲା । ସନ୍ଧ୍ୟାବାଳୀ ପୁଅ ଠାରୁ ସବୁ କଥା ଶୁଣିବା ପରେ ପ୍ରାଣବଳି ଦେବାକୁ ସ୍ଥିର କଲେ । ସେପଟେ ଅର୍ଜୁନଙ୍କ ମୃତ୍ୟୁ ଖବର ନାରଦ ବଳରାମ ଓ ଶ୍ରୀକୃଷ୍ଣଙ୍କୁ ଦେଇଦେଲେ । ସଙ୍ଗେ ସଙ୍ଗେ ନାଗାର୍ଜୁନ ସହ ଯୁଦ୍ଧ ଆରମ୍ଭ ହେଲା । ନାଗାର୍ଜୁନ ସହ କୃଷ୍ଣ ଓ ବଳରାମ ଯୁଦ୍ଧ କରୁଥିବା ଖବର ପାଇଁ ଶିବ କ୍ରୋଧିତ ହେଲେ ଏବଂ ଆସି ଯୁଦ୍ଧ କଲେ । ପରିସ୍ଥିତି ଭୟଙ୍କର ହେବାରୁ ନାରଦ ବ୍ରହ୍ମାଙ୍କର ସହଯୋଗ ଲୋଡିଲେ ।

ବ୍ରହ୍ମାଙ୍କ ଅନୁରୋଧ କ୍ରମେ ସମସ୍ତେ କ୍ରୋଧ ଶାନ୍ତ କଲେ । ଏହାପରେ ବ୍ମହ୍ମା ଯମରାଜଙ୍କୁ ସ୍ମରଣ କଲେ । ମା' ଛାୟାଙ୍କ ଅଭିଶାପ ଦ୍ୱାରା ଯମରାଜା ରୋଗଗ୍ରସ୍ଥ ହୋଇଥିଲେ । ହେଲେ ଏହି ଅଭିଶାପରୁ ମୁକ୍ତ ହେବାର ଉପାୟ ମଧ୍ୟ କହିଥିଲେ ଯମରାଜ । କୌଣସି ଏକ ସମୟରେ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କୁ ଏକତ୍ର ଦର୍ଶନ କଲେ ଏବଂ ଶିବ ପ୍ରୀତ ହୋଇ ବର ପ୍ରଦାନ କଲେ ଯମ ବ୍ୟାଧିମୁକ୍ତ ହୋଇ ପାରିବେ ବୋଲି ମା' ଛାୟା କହିଥିଲେ ।
ବ୍ରହ୍ମାଙ୍କ ଅନୁରୋଧ କ୍ରମେ ଯମରାଜା ଅର୍ଜୁନଙ୍କୁ ସଂଜୀବନୀ ମନ୍ତ୍ର ପ୍ରଦାନ କରିବାରୁ ଶିବ ପ୍ରୀତ ହୋଇ ଯମରାଜଙ୍କୁ କୁଷ୍ଠ ବ୍ୟାଧିରୁ ମୁକ୍ତ କଲେ । ପଣ୍ଡୁ ରାଜାଙ୍କ ପାଇଁ ଯମ ଏହିଭଳି ଦୁର୍ଲଭ ଦର୍ଶନ ଲାଭ କରିଥିବାରୁ ପଣ୍ଡୁଙ୍କୁ ବ୍ରହ୍ମଲୋକକୁ ଯିବାକୁ ଅନୁମତି ଦିଆଗଲା ।
ନାଗାର୍ଜୁନ ଓ ଅର୍ଜୁନଙ୍କ ଯୁଦ୍ଧ ଶେଷରେ ଅର୍ଜୁନଙ୍କ ମୃତ ପିଣ୍ଡ ଗୋଟିଏ ଦିନ ପଡି ରହିଥିଲା । ଏହା ମଧ୍ୟରେ କୃଷ୍ଣ ବଳରାମ ଓ ଶିବକଙ୍କର ଯୁଦ୍ଧ, ବ୍ରହ୍ମା ଏବଂ ଯମରାଜାଙ୍କ ଆଗମନ ହୋଇଛି । ଗୋଟିଏ ଦିନରେ ଗୋଟିଏ ତିଥି ଅତିକ୍ରାନ୍ତ ହୋଇଗଲେ ମୃତ ସଞ୍ଜୀବନୀ ମନ୍ତ୍ର କାର୍ଯ୍ୟ କରିନଥାଏ । ଏଣୁ ଶ୍ରୀକୃଷ୍ଣ ସୂର୍ଯ୍ୟଦେବଙ୍କୁ ଅନ୍ୟ ଏକ ତିଥିକୁ ସଂକ୍ରମଣ ନ କରିବା ପାଇଁ ଅନୁରୋଧ କରିଥିଲେ । ଅର୍ଥାତ ଗୋଟିଏ ତିଥି ସୂର୍ଯ୍ୟଦେବ ଦୁଇଦିନ ଭୋଗ କଲେ । ନିଜ ପୁତ୍ର ଯମର ଅଭିଶାପ ମୋଚନ ସମୟ ଉପସ୍ଥିତ ଜାଣି ଶ୍ରୀକୃଷ୍ଣଙ୍କ ଅନୁରୋଧ ରକ୍ଷା କରିଥିଲେ । କାର୍ତ୍ତିକମାସ ଶୁକ୍ଲପକ୍ଷ ଏକାଦଶୀ ତିଥି ଠାରୁ ନାଗାର୍ଜୁନ ଏବଂ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା ।
ଅର୍ଜୁନଙ୍କ ପୁନର୍ଜନ୍ମ ମଳ ତିଥିରେ ହେଲା । ଏଣୁ ଏହାର ସ୍ମାରକୀ ସ୍ୱରୂପ ଯେଉଁ ବର୍ଷ କାର୍ତ୍ତିକମାସ ଏକାଦଶୀ ଠାରୁ ପୂର୍ଣ୍ଣମୀ ମଧ୍ୟରେ ମଳ ତିଥି ଭୋଗ ହୁଏ ସେହିବର୍ଷ ଶ୍ରୀଜଗନ୍ନାଥଙ୍କୁ ନାଗାର୍ଜୁନ ବେଶରେ ଭୂଷିତ କରାଯାଏ ବୋଲି ଗବେଷକମାନେ କହିଛନ୍ତି ।












Click it and Unblock the Notifications