SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ, ୧୦ ରୋଗୀଙ୍କ ମୃତ୍ୟୁ ସୂଚନା
ଏସ୍ସିବି ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ । ଆଇସିୟୁର ପ୍ରଥମ ମହଲାରେ ନିଆଁ ଲାଗିଛି । ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସୂଚନା । ଆଇସିୟୁରେ ଗୁରୁତର ରୋଗୀ ଥିବାରୁ ସ୍ଥିତି ଅତ୍ୟନ୍ତ ସଂକଟାପନ୍ନ ରହୁଛି । ତେବେ ନିଆଁ ଲାଗିବା ଖବର ପାଇବା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିବା ପରେ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । କିନ୍ତୁ ଏହାରି ଭିତରେ୧୦ ରୋଗୀଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେଠାରେ ସେହି ସମୟରେ ପ୍ରାୟ ୨୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମୟ ମିଳିନଥିଲା। ଫଳରେ ଅଧିକାଂଶ ରୋଗୀ ଶ୍ୱାସରୁଦ୍ଧ ହୋଇ ଏବଂ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଏହି ଘଟଣା ପରେ ମେଡିକାଲ ପରିସରରେ ଏକ ଶୋକାକୁଳ ଓ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି । ବାକି ରୋଗୀମାନଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।












Click it and Unblock the Notifications