ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ; 'ଓଡିଶାର ସର୍ଦ୍ଦାର ପଟେଲ ଥିଲେ ମହତାବ’
ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ଗୁରୁବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମାରୋହରେ ଯୋଗ ଦେଇ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିଚାରଣ କରିଥିଲେ।
ସେ କହିଛନ୍ତି, ଡକ୍ଟର ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ। ମହାନ ରାଷ୍ଟ୍ରନେତା, ସ୍ବାଧୀନତା ସଂଗ୍ରାମୀ ଭାବେ ତାଙ୍କର ଅବଦାନ ଅତୁଳନୀୟ। ବିଗତ ଦିନରେ କେବଳ ଗୋଟିଏ ପରିବାରକୁ ଗୁରୁତ୍ୱ ମିଳି ଆସୁଥିଲା।

୧୯୩୮ରେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ମହତାବ ମନୋନୀତ ହୋଇଥିଲେ। ୧୯୭୫ ଜରୁରୀକାଳିନ ପରିସ୍ଥିତ ବେଳେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଇନ୍ଦିରା ଗାନ୍ଧୀଙ୍କ ଶାସନରେ ଅତିଷ୍ଠ ହୋଇ କଂଗ୍ରେସ ସହ ସେ ସମ୍ପର୍କ ଚ୍ଛିନ୍ନ କରିଥିଲେ। ହୀରାକୁଦ ଡ୍ୟାମ୍ ଓ ଓଡ଼ିଶା ଭାଷା ପ୍ରତି ଅବଦାନକୁ ଭୁଲି ହେବ ନାହିଁ। ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରତିଷ୍ଠା କରି ମହତାବ ସାମ୍ବାଦିକତା ବି ସୃଷ୍ଟି କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ କଟକ ଏମ୍ପି ତଥା ଡ. ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ।
ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ। ଏକାଧାରାରେ ସେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ । ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ଅସହଯୋଗ ଆନ୍ଦୋଳନ ଠାରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ ଏବଂ ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ସକ୍ରିୟତା ଅତୁଳନୀୟ । ଓଡ଼ିଶାକୁ ଭାରତରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।












Click it and Unblock the Notifications