କାର୍ତ୍ତିକରେ ମହାପ୍ରସାଦ ହେଉଛି ମହଙ୍ଗା, ଆୟତ୍ତରେ ନାହିଁ ଅବଢ଼ା ଦର
କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ମୁହାଁ ଭକ୍ତ। ଦୈନିକ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ବା ଅବଢ଼ା ନେଇ ଫେରୁଛନ୍ତି । କିନ୍ତୁ ଧର୍ମମାସରେ ବାଧିଲାଣି ଅବଢ଼ା ଦର ।
ପୁରୀ: କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ମୁହାଁ ଭକ୍ତ। ଦୈନିକ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ବା ଅବଢ଼ା ନେଇ ଫେରୁଛନ୍ତି । କିନ୍ତୁ ଧର୍ମମାସରେ ବାଧିଲାଣି ଅବଢ଼ା ଦର । ଆୟତରେ ରହୁ ନାହିଁ ମହାପ୍ରଶାଦ ଦାମ । ଗତମାସରେ ଯେଉଁ ଅବଢ଼ା ଦର ୧୦୦ ଟଙ୍କା ଥିଲା, ଏବେ ତାହା ୨୦୦ ଟଙ୍କା । ତେବେ ଭକ୍ତଙ୍କୁ ବେଶି କଷ୍ଟ ଦେଉଛି ଶ୍ରୀମନ୍ଦିର ଆନନ୍ଦବଜାର, ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ ଥିବା ଦଣ୍ଡିଆମାନଙ୍କ ଶୋଷଣ । ଏମାନେ ମହାପ୍ରସାଦକୁ ୫୦ ଟଙ୍କାରେ କିଣି ଭକ୍ତଙ୍କୁ ଦେଢ ଶହରୁ ୨୦୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଦୈନିକ ପ୍ରାୟ ୨୦ ହଜାର ଲୋକଙ୍କ ପାଇଁ ଆନନ୍ଦ ବଜାରରେ ଅବଢ଼ା ବିକ୍ରି ହେଉଛି ।

ସୂଚନା ଅନୁସାରେ, ଯେଉଁ ଜିରା ରାଇସ୍ ବାଇହାଣ୍ଡି ପୂର୍ବରୁ ୫ରୁ ୬ଶହ ଟଙ୍କାରେ ବିକ୍ରି ହେଉଥିଲା ଏବେ ତା' ଦର ୮ ଶହ ପାଖାପାଖି। ସେମିତି ଶହେ ଟଙ୍କିଆ ଡାଲି କୁଡୁଆଟେ ଦେଢ଼ ଶହ ନହେଲେ ୨୦୦ ଟଙ୍କା ପଡୁଛି । ତରକାରୀ, ବେସର, ମହୁର, ଶାଗ ସବୁ ସାଧାରଣ କୁଡୁଆ ପିଛା ଦର ୪୦ରୁ ୫୦ ଟଙ୍କା ଉଚ୍ଚା । ସହଜେ ଏବେ କାର୍ତ୍ତିକ ମାସ, ତେଣୁ ଉଭୟ ହବିଷ୍ୟାଳି ଓ ସାଧାରଣ ଭକ୍ତଙ୍କ ମନ୍ଦିରରେ ପ୍ରବଳ ଗହଳି । ହେଲେ ସମସ୍ତେ କହୁଛନ୍ତି ଅସମ୍ଭବ ଭିଡ଼ରେ ଜଗା ଦର୍ଶନ ଯେକିତି କଷ୍ଟ ଲାଗୁନି, ତାଠୁ ବେଶି ବାଧୁଛି ଅବଢ଼ାର ମହଙ୍ଗା ମାଡ଼।
ବାଇହାଣ୍ଡିରେ ୧୦ କେଜି ଚାଉଳ ରନ୍ଧା ହୁଏ ।
ସେହିଭଳି ଦୁଇ ଗଉଣିଆରେ ୮ କେଜି, ସମାଧିରେ ୭ରୁ ସାଢେ ୭ କେଜି, ଦାସିଆରେ ସାଢେ ୫ କେଜିରୁ ସାଢେ ୬କେଜି ଚାଉଳ ରନ୍ଧା ହୁଏ । ବାଇହାଣ୍ଡି ଜିରା ରାଇସ ଅନ୍ନ ଦର ପୂର୍ବରୁ ୧୨ଶହରୁ ୧୪ ଶହ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୧୬ ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ବାସୁମତି ଚାଉଳର ବାଇହାଣ୍ଡି ପୂର୍ବରୁ ୨୨ ଶହ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୨୫ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ବାଇହାଣ୍ଡି ଜିରା ରାଇସର ସେଟ୍ (ଅନ୍ନ, ଡ଼ାଲି, ଦୁଇଟି ତରକାରୀ)ର ଦର ସାଢେ ୪ ହଜାର ଟଙ୍କା ଥିଲା । ଏବେ ୪ହଜାର ୮ଶହରୁ ୫ହଜାର ଟଙ୍କାରେ ବିକ୍ରି କରାଯାଉଛି । ସେହିଭଳି ବାସୁମତି ଚାଉଳ ବାଇହାଣ୍ଡି ସେଟ୍ ସାଢେ ୫ହଜାରରୁ ୬ହଜାର ଟଙ୍କାରେ ବିକ୍ରି ହେଉଛି ।
୨୦୧୮ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଥିଲେ । ଯେଉଁଥିରେ ଆନନ୍ଦବଜାର ଶୃଙ୍ଖଳା ପ୍ରମୁଖ ପ୍ରସଙ୍ଗ ରହିଥିଲା । ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆନନ୍ଦବଜାର ଓ ଅନ୍ୟ ସ୍ଥାନରେ ଅବଢ଼ା ଦର ତାଲିକା ଲଗାଇବାକୁ ସ୍ଥିର ହୋଇଥିଲା। ହେଲେ ଇତିମଧ୍ୟରେ ୪ବର୍ଷ ବିତିବାକୁ ବସିଥିବାବେଳେ ସେ ନେଇ ଜିଲ୍ଲା ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନ କାହାରି କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନି। ଯାହା ପରିଚାଳନା କମିଟି ଓ କମିଟି ସଦସ୍ୟଙ୍କ ନିଷ୍କ୍ରିୟତାକୁ ସୂଚାଇଛି।












Click it and Unblock the Notifications