ଦିବ୍ୟସ୍ନାନ ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ; ଅଣସର ଘରେ ଚାଲିଛି ଗୁପ୍ତସେବା, ପୂଜା ପାଇବେ ପଟ୍ଟି ଦିଅଁ
ସ୍ନାନ ବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା ଯୋଗୁ ଅଣସର ବାସରେ ରହିଛନ୍ତି ଶ୍ରୀବିଗ୍ରହ। ବିଳମ୍ବିତ ରାତିରେ ସ୍ନାନବେଦିରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର । କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ନୀତି ।
ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୩ ଦିନ ଧରି ଅସୁସ୍ଥ ଶ୍ରୀଜିଉଙ୍କର ଚାଲିବ ଗୁପ୍ତ ଅଣବସର ନୀତି । ଏଥି ପାଇଁ ରତ୍ନସିଂହାସନରେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେନି ଶ୍ରଦ୍ଧାଳୁ । ଏହି ସମୟରେ ତାଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ ।
ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟିଦିଅଁ ଭାବେ ପୂଜା ପାଇବେ । ଏଥିପାଇଁ ବିଳମ୍ବିତ ରାତିରେ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି । ଅନ୍ୟପଟେ ବିଳମ୍ବିତ ରାତିରେ ବାହୁଡ଼ା ପହଣ୍ଡି ଶେଷ ପରେ ଶ୍ରୀଜିଉଙ୍କ ସୁନାଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି ।ଅନ୍ୟପଟେ ଶ୍ରୀଜିଉ ଅଣବସର ଘରେ ଥିବାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଦର୍ଶନ ।

ବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱରପୀଡ଼ିତ ଶ୍ରୀଜିଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯାଇଛି। ଛପନ ପଉଟି ଭୋଗ ବଦଳରେ ଆଜି ଫଳ, ଫୁଲରି ମହାପ୍ରଭୁଙ୍କୁ ଲାଗି ହୋଇଛି। ଦଇତାପତି ସେବକମାନେ ଆଜି ମହାପ୍ରଭୁଙ୍କ ଏହି ଗୁପ୍ତନୀତିକୁ ସଂପାଦନ କରିଛନ୍ତି। ଗୁପ୍ତନୀତିକୁ ଶୃଙ୍ଖଳିତ କରିବା ପାଇଁ ଅଣସର ବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ପଡ଼ିଛି। ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟ୍ଟି ଦିଅଁ ବିଜେ କରିଛନ୍ତି। ପଟ୍ଟି ଦିଅଁଙ୍କ ନିକଟରେ ଆଜିଠାରୁ ଛପନ ପଉଟି ଭୋଗ ହେବ।
ସେପଟେ ଭୋରରୁ ଅଲାରନାଥ ପୀଠରେ ଦ୍ୱାର ଫିଟା, ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ପରେ ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିଛି । ଅଲାରନାଥ ପୀଠରେ ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ବିଶ୍ୱାସ ରହିଛି ଅଣବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ କରି ପ୍ରଭୁ ଜ୍ୱରରେ ପଡ଼ି ଅଣବସରରେ ୧୩ ଦିନ ଧରି ରହିବେ । ଏଣୁ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ । ତେଣୁ ଏହି ସମୟକେ ଭକ୍ତ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରନ୍ତି ।
ଶ୍ରୀମନ୍ଦିର ଭୋଗନୀତି ପରି ଅଲାରନାଥରେ ମଧ୍ୟ ଭୋଗ ହୁଏ । ସେପଟେ ଶାନ୍ତି ଶୃଙ୍ଖଳା ନିମନ୍ତେ ଅଲାରନାଥଙ୍କ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ପାଗ ଅନୁକୂଳ ଥିବା ସହ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । କୃତ କୃତ୍ୟ ଭକ୍ତ, ଭକ୍ତିମୟ ଶ୍ରୀକ୍ଷେତ୍ର ।ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଓ ଚତୁର୍ଧାମୂରତିଙ୍କ ଦିବ୍ୟ ହାତୀ ବେଶ ଦର୍ଶନ କରି ତଲ୍ଲୀନ ଅଗଣିତ ଭକ୍ତଙ୍କ ମନ ଓ ପ୍ରାଣ । ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବଡ଼ି ଭୋରରୁ ଲୋକାରଣ୍ୟ ହୋଇ ସାରିଥିଲେ ସାରା ଶ୍ରୀକ୍ଷେତ୍ର ।












Click it and Unblock the Notifications