ମହାପ୍ରଭୁଙ୍କୁ ଲାଗିହେଲା ମାରା ମୋଦକ; କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଲେ ବରିଷ୍ଠ ସେବାୟତ
ଶ୍ରୀମନ୍ଦିର ପରିସରରେ ଆଜି ଘଟିଛି ଅଭାବନୀୟ ଘଟଣା । ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରି ହୋଇ ଯାଇଛି ।
ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ପାଖରେ ଲାଗିହେଲା ସେ ନେଇ ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଏ ନେଇ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖି ଅବଗତ କରାଇବା ସହ ମାରା ମୋଦକ କିଭଳି ମହାପ୍ରଭୁଙ୍କୁ ସମର୍ପିତ ହେଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ସେ ଲେଖିଛନ୍ତି, ଅନବସର ଏକାଦଶୀ ଦିନ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ କବିରାଜ ସେବକ ଭକ୍ତମାନେ ସମୁଦାୟ ୩୧୩ ମୋଦକ ଗାରଦରେ ଜମା ଦେଇଥିଲେ । ସେଗୁଡିକ ହେଲା ରୁଦ୍ରନନ୍ଦନ ମିଶ୍ର ୯୯ ମୂର୍ତ୍ତି, ନନ୍ଦନନ୍ଦନ ମିଶ୍ର ୬୩ ମୂର୍ତ୍ତି, ବିନାୟକ ମିଶ୍ର ନାତି ସୁଧାଂଶୁ ମିଶ୍ର ୪୯ ମୂର୍ତ୍ତି, ଦୁର୍ଗାପ୍ରସାଦ ମିଶ୍ର ୨୭ ମୂର୍ତ୍ତି, ସର୍ବେଶ୍ୱର ମିଶ୍ର ୨୫ ମୂର୍ତ୍ତି, ସତ୍ୟବ୍ରତ ମିଶ୍ର ଓ ଦେବବ୍ରତ ମିଶ୍ର ୨୫ ମୂର୍ତ୍ତି ଓ କ୍ଷୀରୋଦ ଚନ୍ଦ୍ର ମିଶ୍ର ୨୫ ମୂର୍ତ୍ତି । ମହାପ୍ରଭୁଙ୍କ ଭୋଗ ପାଇଁ ମୋଦକ ମଣତି ସମୟରେ ୩୧୩ ମୂର୍ତ୍ତି ଅମୁଣିଆ ମୋଦକରୁ ୭୦ କମ୍ ଥିବା ଜଣାପଡ଼ିଥିଲା ।
୭୦ ମୋଦକ ଚୋରି ହୋଇଥିବାରୁ ବାକି ମୋଦକ ମାରା ହୋଇଥିଲା । ମାରା ମୋଦକ କିପରି ମହାପ୍ରଭୁଙ୍କୁ ସମର୍ପିତ କରାଗଲା ସେ ନେଇ ଶ୍ରୀ ଦାସମହାପାତ୍ର ପ୍ରଶ୍ନ ଉଠାଇ ଲିଖିତ ଭାବେ ଅବଗତ କରାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଗାରଦଠାରୁ ଉତ୍ତର ମାଗିଛନ୍ତି । ଗାରଦ ଉତ୍ତର ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି । ଗତ ବର୍ଷ ରଥଯାତ୍ରା ସମୟରେ ବଳଭଦ୍ର ମହାପ୍ରଭୁ ଚାରମାଳରେ ପଡ଼ିଯିବା ଘଟଣାରେ ନିନ୍ଦିତ ହୋଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା କରିବାକୁ ସମସ୍ତେ ଅଣ୍ଟା ଭିଡ଼ିଲେ। ହେଲେ ଆରମ୍ଭରୁ ଘଟିଲାଣି ବିଭ୍ରାଟ ।












Click it and Unblock the Notifications