ଅଣସର ଘରେ ମହାପ୍ରଭୁ, ଆଜିଠାରୁ ଅଲାରନାଥଙ୍କ ଅଣସର ଦର୍ଶନ, ୧୩ ଦିନ ଯାଏଁ ଚାଲିବ ଦର୍ଶନ
ବ୍ରହ୍ମଗିରି: ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି ଅଣସର ଦର୍ଶନ । ଏହି ସମୟରେ ଅଲାରନାଥରେ ବିଷ୍ଣୁ ରୂପରେ ଦର୍ଶନ ଦେବେ ମହାପ୍ରଭୁ । ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।
ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ବେଶ ଧାରି ଶିଳାବ୍ରହ୍ମ ଶ୍ରୀ ଅଲାରନାଥ ଦେବ ନାରାୟଣ ଦେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାଆନ୍ତି ।
ଆଜିଠାରୁ ୧୩ ଦିନ ଯାଏଁ ଚାଲିବ ଦର୍ଶନ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖ୍ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ବ୍ୟାରିକେଡରେ ଯାଇ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
ଅଲାରନାଥଙ୍କୁ ଦର୍ଶନ କରିବା ସହ କ୍ଷୀରି ଭୋଗ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖୁବାକୁ ମିଳିଛି। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ଜ୍ଵରରେ ପୀଡିତ ମହାପ୍ରଭୁ। ଅଣସର ଘରେ ଦଇତାପତି ସେବାୟତଙ୍କ ଦ୍ବାରା ଚାଲିଛି ଗୁପ୍ତ ଉପଚାର।

ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଦିବ୍ୟସ୍ନାନ ପରେ ଜ୍ବରରେ ପୀଡ଼ିତ ହୋଇ ଅଣସର ପିଣ୍ତିକୁ ବିଜେ କରିଛନ୍ତି। ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ନ ପାଇ ପଟ୍ଟିଦିଅଁଙ୍କୁ ଦର୍ଶନ କରିବେ। ଏହି ଅବସରରେ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ମଧ୍ୟ ଆରମ୍ଭ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ପିଣ୍ତିରେ ବିଜେ ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନ ସମଫଳ ପ୍ରଦାନ କରିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି। ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତି ଶେଷହୋଇଛି।
ଭୋର୍ ଚାରିଟାରେ ଦ୍ବାରଫିଟା, ମଙ୍ଗଳଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ଓ ଗୋପାଳବଲ୍ଲଭ ଉଠି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ମଧ୍ୟ୍ୟାହ୍ନ ୧୨ଟାରେ ସକାଳ ଧୂପ, ଅପରାହ୍ନ ୨ଟାରେ ମଧ୍ୟ୍ୟାହ୍ନ ଧୂପ ନୀତି ବଢ଼ି ସାଢେ ଦୁଇଟାରେ ପହୁଡ଼ ହେବ। ଅପରାହ୍ନ ୨ଟା ୪୫ରୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ସନ୍ଧ୍ୟାଆଳତି ଓ ମଇଲମ ନୀତି ବଢ଼ିବା ପରେ ସାଢ଼େ ୭ଟାରୁ ସର୍ବସାଧାରଣ ଦର୍ଶନ ହେବ। ରାତି ୧୦ଟାରେ ସନ୍ଧ୍ୟା ଧୂପ ନୀତି ବଢିବା ପରେ ରାତି ଏଗାରଟାରେ ବଡ଼ସିଂହାର ବେଶ ଓ ଧୂପ ନୀତି ବଢ଼ି ରାତି ୧୨ଟାରେ ପହୁଡ଼ ହେବ ବୋଲି ସେବାୟତ ନିଯୋଗ ପକ୍ଷରୁ ସୂଚନା ମିଳିଛି।












Click it and Unblock the Notifications