ମାହାଙ୍ଗା ଡବଲ ମର୍ଡର ମାମଲା: ଜବାବ ଦାଖଲ ପାଇଁ ପୁଣି ସମୟ ନେଲେ ପ୍ରତାପ ଜେନା
ସୁପ୍ରିମକୋର୍ଟରେ ପହଞ୍ଚିଛି ମାହାଙ୍ଗା ଡବଲ ମର୍ଡର ମାମଲା। ତେବେ ଜବାବ ଦାଖଲ ପାଇଁ ପୁଣି ସମୟ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ।
ରହିଥିବାବେଳେ ଆଉ ୨ ସପ୍ତାହରେ ପ୍ରତିଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ମହଲତ ମିଳିଛି। ୨ ମାସ ପରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ଆବେଦନ କରାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ।

ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ପ୍ରତାପ କୁମାର ଜେନାଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ରଦ୍ଦ କରି ହାଇକୋର୍ଟ ୨୦୨୪, ଅକ୍ଟୋବର ୧ରେ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ରଣଜିତ ବରାଳ ଦାଏର କରିଥିବା ମାମଲାକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ। ଶ୍ରୀ ଜେନାଙ୍କ ତରଫରୁ ପୂର୍ବରୁ ସୁପ୍ରିମକୋର୍ଟରେ କାଭିଏଟ୍ ଦାଏର କରାଯାଇଥିଲା। ସୁପ୍ରିମକୋର୍ଟରେ ଶ୍ରୀ ବରାଳଙ୍କ ଆବେଦନ ଶୁଣାଣି ସମୟରେ ଶ୍ରୀ ଜେନାଙ୍କ ଆଇନଜୀବୀ ଉପସ୍ଥିତ ରହି ପକ୍ଷ ରଖିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହ ମାମଲାର ପ୍ରତିପକ୍ଷ ରାଜ୍ୟ ସରକାର ଓ ଶ୍ରୀ ଜେନାଙ୍କୁ ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ କହିଛନ୍ତି। ଏଥିସହିତ ଏହି ଘଟଣାରେ ଦୌରା ଅଦାଲତ ଓ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ସାକ୍ଷୀଙ୍କ ଯେଉଁ ବୟାନ ରେକର୍ଡ କରାଯାଇଥିଲା ସେ ସଂପର୍କିତ ନଥିପତ୍ର ଦାଖଲ କରିବାକୁ ପ୍ରତିପକ୍ଷଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ବରାଳଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ଜେନାଙ୍କ ବିରୋଧରେ ସାଲେପୁର ଜେଏମ୍ଏଫ୍ସି ଅଦାଲତ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରି ୨୦୨୩, ସେପ୍ଟେମ୍ବର ୨୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ୨୦୨୪, ଅକ୍ଟୋବର ୧ରେ ରଦ୍ଦ କରିଥିଲେ। ନିମ୍ନ ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲାକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ।
ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲା ସେଥିରେ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନ ଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟ୍ରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୁଲିସର ଚାର୍ଜସିଟ୍ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ୍ ସାଲେପୁର ଜେଏମ୍ଏଫ୍ସି ଅଦାଲତରେ ଦାଖଲ ହୋଇଥିଲା। ଘଟଣାର ତ୍ବରିତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମାହାଙ୍ଗା ଥାନାର ତତ୍କାଳୀନ ଆଇଆଇସିଙ୍କ ବଦଳି ପରେ ସାଲେପୁର ଡିଏସ୍ପିଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଡିଏସ୍ପି ତଦନ୍ତ ଶେଷ କରିବା ପରେ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା ଦର୍ଶାଇ ଫାଇନାଲ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଏହି ଫାଇନାଲ ରିପୋର୍ଟରେ କୌଣସି ଆପତ୍ତି ଥିଲେ ଅବଗତ କରିବାକୁ ଏତଲାକାରୀ ରମାକାନ୍ତ ବରାଳଙ୍କୁ ଅଦାଲତ ନୋଟିସ୍ ଜାରି କରିଥିଲେ। ରମାକାନ୍ତ ବରାଳ ନୋଟିସ୍ ପାଇଥିଲେ। କିନ୍ତୁ ଏ ନେଇ ପ୍ରୋଟେଷ୍ଟ ପିଟିସନ୍ ମାଧ୍ୟମରେ ଅବଗତ କରିବା ପୂର୍ବରୁ ୨୦୨୨, ଡିସେମ୍ବର ୯ରେ ରମାକାନ୍ତଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।












Click it and Unblock the Notifications