ମାହାଙ୍ଗା ଡବଲ ମର୍ଡର ଘଟଣା; ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ୨ ସପ୍ତାହ ମହଲତ
ମାହାଙ୍ଗା ଡବଲ ମର୍ଡର ଘଟଣା । ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ମିଳିଲା ୨ ସପ୍ତାହର ମହଲତ । ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନା ନିଜର ଓକିଲ ଜରିଆରେ କରିଥିବା ଆବେଦନ ଅନୁସାରେ ତାଙ୍କୁ ୨ ସପ୍ତାହ ମହଲତ ଦେଇଛନ୍ତି ସ୍ଥାନୀୟ କୋର୍ଟ ।
ଗତକାଲି ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁସାରେ ସାଲେପୁର କୋର୍ଟରେ ବିଧାୟକ ପ୍ରତାପ ଜେନାଙ୍କୁ ହାଜର ହେବାକୁ କୁହାଯାଇଥିଲା। ହେଲେ ସେ ହାଜିର୍ ହୋଇ ନଥିଲେ ।
ନିଜେ ପ୍ରତ୍ୟେକ୍ଷ ଭାବେ ହାଜର ନ ହୋଇ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବାକୁ ଆବେଦନ କରିଥିଲେ ପ୍ରତାପ । ସିଆରପିସି 205 ଧାରାରେ ସେ ହାଜର ହେବା ନେଇ ଆବେଦନ କରିଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ, ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ, ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି । ପ୍ରତାପ ଜେନା ବର୍ତ୍ତମାନ ବିଧାୟକ ହୋଇଥିବାରୁ ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି ।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ପ୍ରତାପ ଜେନା । ଜେଏମଏଫସି କୋର୍ଟ ଶାସକ ଦଳର ଏହି ବରିଷ୍ଠ ନେତାଙ୍କୁ ଅକ୍ଟୋବର ୩୧ ରେ ହାଜର ହେବାକୁ ବ୍ୟକ୍ତିଗତ ଭାବେ ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ ସମନ ପଠାଇଥିଲେ ।
ସୂଚନାଥାଉକି, 2021 ଜାନୁଆରି 2 ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ହୋଇଥିଲା । ଏହି ଘଟଣାରେ ବିଜେପି ନେତା କୁଳମଣି ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଅଭିଯୋଗକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ । ଏଥିରୁ 9 ଜଣ ଗିରଫ ହୋଇ ସାରିଛନ୍ତି । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା ।












Click it and Unblock the Notifications