ମହାନଦୀ ଜଳ ବିବାଦ ; ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ୨୨ ରେ ବସିବ ପ୍ରଥମ ବୈଠକ
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଆସନ୍ତା ୨୨ ତାରିଖ ଅପରାହ୍ଣ ୪ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତା କରିବେ ଓ କମିଟିର ସଦସ୍ୟ ଏବଂ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

ଟ୍ରିବ୍ୟୁନାଲ୍ରେ ମାମଲା ଚାଲିଥିବାବେଳେ ବିଭିନ୍ନ ସମୟରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ବିଭିନ୍ନ ଦିଗରେ ଆଲୋଚନା ହେଉଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡ଼ିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେ କରି ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଗଠିତ ଏହି କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରତିନିଧିଙ୍କୁ ସ୍ଥାନିତ କରାଯାଇଛି। ଓଡ଼ିଶାରେ ଯେଉଁ ଜିଲ୍ଲାଗୁଡ଼ିକ ଦେଇ ମହାନଦୀ ବହିଛି ସେଥିରୁ କେତେକ ଜିଲ୍ଲାର ବିଧାୟକମାନଙ୍କୁ ଏଥିରେ ସାମିଲ୍ କରାଯାଇଛି। ଏହି ୮ଜଣିଆ କମିଟିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ସଦସ୍ୟ ଅଛନ୍ତି। ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ, ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ବୋଲି କୁହାଯାଇଛି।
ପୂର୍ବ ସରକାର ଟ୍ରିବ୍ୟୁନାଲ୍କୁ ଯିବା ଏକ ଭୁଲ ନିଷ୍ପତ୍ତି: ଜୟନାରାୟଣ ମିଶ୍ର
କମିଟି ଘୋଷଣା ହେବା ପରେ କମିଟିର ସଦସ୍ୟ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ କହିଥିଲେ ଯେ ପୂର୍ବ ସରକାର ଟ୍ରିବ୍ୟୁନାଲ୍କୁ ଯିବା ଏକ ଭୁଲ ନିଷ୍ପତ୍ତି। ଏହାର ରାଜନୈତିକ ସମାଧାନ ଆବଶ୍ୟକ। ପୂର୍ବରୁ ନୀତିନ ଗଡ଼କରୀ ଆପୋସ ସମାଧାନ ପାଇଁ ଡାକିଥିବା ବେଳେ ସେତେବେଳେ ରାଜ୍ୟ ସରକାର ରାଜନୈତିକ ସମାଧାନ ନକରି କାହିଁକି ଟ୍ରିବୁନାଲ୍ ଗଲେ ଜାଣିନାହିଁ। ଟ୍ରିବୁନାଲ୍କୁ ଯିବା ଦ୍ବାରା ପ୍ରକ୍ରିୟା ବିଳମ୍ବ ହୋଇଛି। ମୁଖ୍ୟମନ୍ତ୍ରୀ ଯେଉଁ କମିଟି ଗଠନ କରିଛନ୍ତି ତାହା ସ୍ବାଗତଯୋଗ୍ୟ। ମହାନଦୀ ବିବାଦର ସମାଧାନ ପାଇଁ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ। ଏହାସହ ସେ କହିଥିଲେ ଯେ ଛତିଶଗଡ଼ ଯେମିତି ମହାନଦୀରେ ବ୍ୟାରେଜ କଲା, ଓଡ଼ିଶା ସରକାର ମଧ୍ୟ ସେହିପରି ବ୍ୟାରେଜ କରିବା ଆବଶ୍ୟକତା ଥିଲା। ହୀରାକୁଦ ବନ୍ଧର ତଳମୁଣ୍ଡରେ ଆହୁରି ବ୍ୟାରେଜ ନିର୍ମାଣ କରିବା କଥା। ଏବେ ରାଜନୈତିକ ସମାଧାନ ହୋଇଗଲେ ମହାନଦୀ ଜଳ ବିବାଦ ତୁଟିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।












Click it and Unblock the Notifications