ବିରାଜିବେ ମା' ଗଜଲକ୍ଷ୍ମୀ: ଢେଙ୍କାନାଳରେ ବ୍ୟାପକ ପ୍ରସ୍ତୁତି, ରାଜଧାନୀ ଉତ୍ସବ ମୁଖର
ଧରାବତରଣ କରିବେ ମା' ଗଜଲକ୍ଷ୍ମୀ। ସବୁଠି ଚାଲିଛି ସାଜସଜ୍ୟା । ଆଜି ରାତିରେ ଆରମ୍ଭ ହେବ ପୂଜା । ସାରା ରାଜ୍ୟରେ ଆଡ଼ମ୍ବରପୂର୍ଣ୍ଣ ପୂଜା ପ୍ରସ୍ତୁତି ଚାଲିଛି। ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ ସବୁଠି ପୂଜା ପ୍ରସ୍ତୁତି ଚାଲିଛି। ରାଜଧାନୀବାସୀଙ୍କୁ ପୂଜାରେ ଟିକେ ଭିନ୍ନ ମହକ ଦେବାକୁ ବିଭିନ୍ନ ଗଜଲକ୍ଷ୍ମୀ ପୂଜାମଣ୍ଡପ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି। ଖୋର୍ଦ୍ଧା, କଟକ ଆଦି ଜିଲ୍ଲାରେ ହୋଇଛି ବ୍ୟାପକ ପ୍ରସ୍ତୁତି ।
ଭରତପୁର ଜିଏ କଲୋନି ଓ ଶ୍ରୀରାମବିହାର ପୂଜା କମିଟି ପକ୍ଷରୁ ଓଡ଼ିଶାର ଐତିହ୍ୟକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ମା'ଙ୍କ ପୂଜା ପାଇଁ କୋଣାର୍କ ମନ୍ଦିର ସଦୃଶ ମଣ୍ଡପ ପ୍ରସ୍ତୁତ କରାଯାଇଛି । ଏଠାରେ ୫ ଦିନ ଧରି ମା' ପୂଜା ପାଇବେ । ମା'ଙ୍କ ମେଢ଼ର ଉଚ୍ଚତା ୯ଫୁଟ ରହିଛି। ମା'ଙ୍କୁ ରୁପାର ଅଳଙ୍କାର ପିନ୍ଧାଯିବ। ଏହି ଅବସରରେ ମୀନାବଜାର ସମେତ ଭଜନ ସମାରୋହର ବ୍ୟବସ୍ଥା କରାଯାଇଛି। ଏଥିସହିତ ଶନିବାର ଦିନ ୧୦,୦୦୦ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି।

ବାପୁଜୀ ୟୁଥ୍ ଆସୋସିଏସନ ଦ୍ୱାରା ଆୟୋଜିତ ପୂଜା ରାଜଧାନୀର ସବୁଠୁ ପୁରୁଣା ଗଜଲକ୍ଷ୍ମୀ ପୂଜା ଭାବେ ପରିଗଣିତ। ଏଠାକାର ପୂଜା ପେଣ୍ଡାଲ୍ର ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ରାଜଧାନୀବାସୀଙ୍କୁ ଆକର୍ଷିତ କରେ। ଚଳିତ ବର୍ଷ ଏହି ପୂଜା କମିଟି ପକ୍ଷରୁ ପରୀ ମହଲରେ ମା'ଙ୍କୁ ସ୍ୱାଗତ କରାଯାଉଛି। ମା'ଙ୍କ ମେଢ଼ର ଉଚ୍ଚତା ୮ଫୁଟ ରହିଛି। ୧୦ ଦିନ ଧରି ପୂଜା ଚାଲିବ। ମା'ଙ୍କୁ ସୁନା ମୁକୁଟ ଓ ୧୦୮ ପଦ୍ମର ହାର ସହି ଅନ୍ୟାନ୍ୟ ସୁନା ଓ ରୁପା ଅଳଙ୍କାର ପିନ୍ଧାଯିବ। ପୂଜା କମିଟିର ୫୯ତମ ପୂର୍ତ୍ତି ଅବସରରେ ମା'ଙ୍କ ପୂଜା ପାଇଁ ଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ଉପହାର ମଧ୍ୟ ପ୍ରଦାନ କରାଯିବ। ଏଠାକାର ପୂଜାର ପ୍ରମୁଖ ଆକର୍ଷଣ ସାଜିବ ଭକ୍ତମାନେ ମନସ୍କାମନା ପୂରଣ ପାଇଁ ମା'ଙ୍କ ଐଶ୍ବର୍ଯ୍ୟ କଳସ ପୂଜା ଓ ବିସର୍ଜନରେ ମହିଳାମାନଙ୍କ ସିନ୍ଦୂର ଖେଳ। ଏଥିସହିତ ପ୍ରତିଦିନ ମଧ୍ୟାହ୍ନ ଭୋଗ ସହିତ ୨୪ ତାରିଖରେ ୬୦୦୦ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।
ମହିଳା ସଶକ୍ତୀକରଣର ବାର୍ତ୍ତା
ୟୁନିଟ୍ ୪ରେ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଓ ଜୟ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାରେ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦିଆଯାଇଛି। ମେଢ଼ର ଉଚ୍ଚତା ୮ ଫୁଟ ରହିଛି। ପାରମ୍ପରିକ ବାଦ୍ୟଯନ୍ତ୍ରରେ ମା'ଙ୍କୁ ସ୍ୱାଗତ କରାଯିବ। ଏଠାକୁ ଦର୍ଶନ କରିବାକୁ ଆସୁଥିବା ପ୍ରତ୍ୟେକ ମହିଳାଙ୍କୁ ଦୁବ ଓ ଚନ୍ଦନରେ ପୂଜା କରାଯିବା ସହିତ ପୂଜାରେ ୧୭ ତାରିଖରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୫ଜଣ ମହିଳାଙ୍କୁ ସମ୍ୱର୍ଦ୍ଧିତ କରାଯିବ। ବହୁ ମହିଳା ସଙ୍ଗଠନ ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ମହିଳା ସୁରକ୍ଷା ସହିତ ସାଇବର ସୁରକ୍ଷା ଆଦିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।












Click it and Unblock the Notifications