ଆଜି ମହାମାୟାଙ୍କ ମହାନବମୀ , ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ନବମୀ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା
ଭୁବନେଶ୍ବର : ଆଜି ମହାମାୟାଙ୍କ ମହାନବମୀ । ରାଜ୍ୟର ବିଭିନ୍ନ ମଣ୍ଡପରେ ମା' ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠୁଛି । ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କୁ ଆଜି ମହାନବମୀ ଦର୍ଶନ ଦେଉଛନ୍ତି ମହିଷମର୍ଦିନୀ ମା' ଦୁର୍ଗା । ଏହି ମହାନବମୀ ଅବସରରେ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ସମ୍ବଲପୁର ସମେତ ସବୁଠି ପ୍ରବଳ ଗହଳି ଲାଗିଥିବା ଦେଖିବାକୁ ମିଳିଛି । ପାର୍ବଣର ଖୁସିରେ ବୁଲାବୁଲି ସାଙ୍ଗକୁ ନାଚ ଗୀତର ଆସର ମଧ୍ୟ ବେଶ ଜମୁଥିବା ଦେଖିବାକୁ ମିଳୁଛି ।

ସୁନ୍ଦର କାରୁକାର୍ୟ୍ୟ ଭିତରେ ମା'ଙ୍କ ମେଢ଼ ଓ ପୂଜା ମଣ୍ଡପର ତୋରଣ ଝଲସି ଉଠୁଛି । ଗତକାଲି ଅଷ୍ଟମୀ ଦର୍ଶନ ସମାପ୍ତ ହୋଇଥିବା ବେଳେ ଆଜି ମହାମାୟାଙ୍କ ମହାନବମୀ ଦର୍ଶନ ଜାରି ରହିଛି । ଯାହାକୁ ନେଇ ସମସ୍ତ ଶ୍ରଦ୍ଧାଳୁ ମାନେ ବେଶ ଉତ୍ସାହିତ ରହିଛନ୍ତି । ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ । ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୂର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ମା'ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୂର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ମାଛ ଭୋଗ ।












Click it and Unblock the Notifications