ଆଜି ଲଘୁଚାପ ନେବ ଅବପାତ ରୂପ, ୨୭ରେ ବାତ୍ୟା: ଓଡ଼ିଶାରେ କ'ଣ ରହିବ ପ୍ରଭାବ ?
ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପରୁ ଦାନା ବାନ୍ଧିବ କି ବଡ଼ ବାତ୍ୟା ? ଷ୍ଟ୍ରେଟ ଅଫ ମଲାକ୍କା ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୁଦୃଶ୍ୟ ଲଘୁଚାପ । ଦକ୍ଷିଣ ପଶ୍ଚିମବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ । ଦୁଇ ଦୁଇଟି ସିଷ୍ଟମ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ନେଇ ପୂର୍ବାନୁମାନ କରାଯାଇଛି । କିନ୍ତୁ କେଉଁ ଆଡ଼େ ରହିବ ସମ୍ଭାବ୍ୟ ବାତ୍ୟାର ଗତିପଥ ତାହା ସ୍ପଷ୍ଟ ହୋଇନାହିଁ । ଷ୍ଟ୍ରେଟ ଅଫ ମଲ୍ଲାକା ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସକ୍ରିୟ ୱେଲ ମାର୍କଡ ଲୋପ୍ରେସର ଘନୀଭୂତ ହୋଇ ଆଜି ଡିପ୍ରେସନରେ ପରିଣତ ହେବ ।
ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ୨୭ ତାରିଖ ବେଳକୁ ବାତ୍ୟା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ସେନ୍ୟାର । ECMWF ଓ GOOGLE ମଡେଲ ଅନୁସାରେ ଶ୍ରୀଲଙ୍କା ତଟରେ ସଂଗଠିତ ଘୂର୍ଣ୍ଣିବଳୟ ଅଧିକ ପ୍ରଭାବୀ ରହିବା ଆକଳନ କରାଯାଇଛି । ଦୁଇ ଦୁଇଟି ସିଷ୍ଟମ ସକ୍ରିୟ ଥିବାରୁ ବିଭିନ୍ନ ପାଣିପାଗ ସଂସ୍ଥା ଏହା ଉପରେ ନଜର ରଖିଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୨୭ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଉପରେ ବାତ୍ୟା ରୂପ ନେବ । ଏହା ଉତ୍ତର- ପୂର୍ବ ଦିଗରେ ଗତି କରି ବାଂଲାଦେଶ ଆଡ଼କୁ ଯିବ । ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହୋଇ ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯିବ । ୨ ବା ୩ ତାରିଖରେ ବାଂଲାଦେଶରେ ପହଞ୍ଚିବା ବେଳକୁ ଏହା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ସାରିଥିବ । ବିଭିନ୍ନ ପାଣିପାଗ ମଡେଲ ଏଭଳି ପୂର୍ବାନୁମାନ ଦେଖାଉଛନ୍ତି ।
ଆଇଏମ୍ଡ଼ି ଆକଳନ ଅନୁସାରେ, ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନସାଗର ଉପରେ ବାତ୍ୟା ସୃଷ୍ଟି ହେବ । ୨୮ ତାରିଖ ଯାଏ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି । କିନ୍ତୁ ଓଡ଼ିଶାକୁ କୌଣସି ବର୍ଷା ସତର୍କତା ଦିଆଯାଇନି।
ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବନି ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । କମୋରିନ୍ ବା କନ୍ୟାକୁମାରୀ ଉପରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମଙ୍ଗଳବାର କମୋରିନ୍, ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ଲଘୁଚାପ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ଜିଏଫଏସ୍ ମଡେଲ ଅନୁସାରେ, ମଲାକ୍କା ଉପରେ ଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାରରେ ଅବପାତରେ ପରିଣତ ହେବ । ଅବପାତ ସୃଷ୍ଟି ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବ । ପରେ ଏହା ଉତ୍ତର ପୂର୍ବ ଦିଗକୁ ମୁହାଁଇ ୨ ବା ୩ ତାରିଖ ବେଳକୁ ଦକ୍ଷିଣ ବାଂଲାଦେଶ ଉପକୂଳରେ ପହଞ୍ଚିବ । ସେତେବେଳକୁ ବାତ୍ୟା ଦୁର୍ବଳ ହୋଇ ସାରିଥିବ ।
ଇସିଏମ୍ଡବ୍ଲ୍ୟୁଏଫ୍ ମଡେଲ କହୁଛି, ୨୫ ତାରିଖରେ ଅବପାତ ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ପହଞ୍ଚିବ । ୨୯ ତାରିଖ ସୁଦ୍ଧା ଏହା କ୍ରମଶଃ ଦୁର୍ବଳ ହୋଇ ସାରିଥିବ । ସେହିଭଳି କମୋରିନ୍ ଉପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ । ଏହା ବି ସମୁଦ୍ର ଭିତରେ ଦୁର୍ବଳ ହୋଇଯିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି।












Click it and Unblock the Notifications