Low Pressure in Odisha: ମେ’ ଶେଷ ସପ୍ତାହରେ ଦୁଇ ଲଘୁଚାପ
ଭୁବନେଶ୍ବର: ମେ' ଶେଷ ସପ୍ତାହରେ ବଙ୍ଗୋପସାଗର ଓ ଆରବସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା । ଆରବସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି । ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତର ରୂପ ନେବ ବୋଲି ଅନୁମାନ କରାଯାଉଛି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମଡେଲ୍ରୁ ଯାହା ଜଣାପଡ଼ୁଛି, ୨୩ ତାରିଖ କେନ୍ଦ୍ରୀୟ-ପୂର୍ବ ଆରବସାଗରରେ ମହାରାଷ୍ଟ୍ର ଉପକୂଳ ଦୂରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ ତାରିଖରେ ଲଘୁଚାପ ରୂପରେ କ୍ରମଶଃ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ୨୫ ତାରିଖରେ ବାତ୍ୟା ଓ ୨୭ ତାରିଖରେ ଭୀଷଣ ବାତ୍ୟା ହୋଇ ପ୍ରାୟତଃ ୪୮ ଘଣ୍ଟା ସେହିଠାରେ ହିଁ ରହିବ । ବର୍ତ୍ତମାନ ମଡେଲ୍ କହୁଛି, ଏହା ୨୯ ତାରିଖରେ ଗୁଜରାଟ ଉପକୂଳ ଛୁଇଁବ। ଅନ୍ୟପଟେ କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗରରେ ଥାଇଲାଣ୍ଡ ଉପକୂଳ ନିକଟରେ ୨୭ ତାରିଖରେ ଏକ ଘୂର୍ଣ୍ଣିବଳୟ, ୨୮ ତାରିଖରେ ଲଘୁଚାପ, ୨୯ ତାରିଖରେ ଅବପାତରେ ପରିଣତ ହେବ । ବର୍ତ୍ତମାନ ମଡେଲ୍ କହୁଛି, ଏହା ୨୯ ବା ୩୦ ତାରିଖରେ ବାଂଲାଦେଶ ବା ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ।

ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ କୌଣସି ତଥ୍ୟ ଦିଆଯାଇନାହିଁ। ତେବେ ଏବେ ରାଜ୍ୟରେ କାଳବୈଶାଖୀ ସହ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜାରି ରହିବ । ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବର୍ଷା ବି ହୋଇପାରେ । ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୧ ଓ ୨୨ ତାରିଖରେ ରାଜ୍ୟରେ କାଳବୈଶାଖୀ ବିତ୍ପାତ ବଢ଼ିପାରେ ।












Click it and Unblock the Notifications