ବର୍ଷାରେ ଭିଜିବ ଦଶହରା; ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୪ ତାରିଖ ଯାଏ ଲାଗି ରହିବ ବର୍ଷା
ବର୍ଷାରେ ଭିଜିବ ଦଶହରା । ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଜି ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହା ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆସନ୍ତାକାଲି ସକାଳେ ଆହୁରି ଘନୀଭୂତ ହେବ ।
ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ୩ ତାରିଖ ସକାଳେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଆସନ୍ତାକାଲି ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧାମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ନବରଙ୍କପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୪ ତାରିଖ ଯାଏ ବର୍ଷା ଲାଗି ରହିବ । ସେହିପରି ଆଜି ସକାଳ ୮ଟା ୩୦ମିନିଟ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂକୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ୟେଲୋ ଆଲର୍ଟ ଦିଆଯାଇଛି । ମତ୍ସଜୀବୀଙ୍କୁ ୧ରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ମଙ୍ଗଳବାର ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସନ୍ଧ୍ୟା ୬ଟା ସମୟ ବେଳକୁ ଲଘୁଚାପରେ ପରିଣତ ହୋଇଛି। ୨ ତାରିଖ ରାତି ବା ୩ ତାରିଖ ସକାଳ ସୁଦ୍ଧା ଓଡ଼ିଶା ଉପକୂଳର ପାରାଦୀପ ଓ ଗୋପାଳପୁର ମଧ୍ୟରେ ବା କିଛି ଦୂରରେ ଅତିକ୍ରମ କରିପାରେ। ଫଳରେ ଦଶହରା ଦିନ ରାଜ୍ୟରେ ବର୍ଷା ସମ୍ଭାବନା ବଢ଼ିଯାଇଥିବା କହିଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ପ୍ରଥମତଃ ଅବପାତଟି ଶୀଘ୍ର ଓଡ଼ିଶା ଉପକୂଳକୁ ମୁହାଁଇବ। ଦ୍ବିତୀୟତଃ ଏହା ମଧ୍ୟ ବାୟୁମଣ୍ଡଳ ପର୍ଯ୍ୟନ୍ତ ଲମ୍ବିଛି। କିନ୍ତୁ ଲଘୁଚାପଟି ଦକ୍ଷିଣ ଆଡ଼କୁ ଢଳି ରହିଥିବାରୁ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଅଧିକ ବର୍ଷା ହେବ।
ଆକଳନ କରାଯାଉଛି, ବୁଧବାର (ନବମୀ)ରେ ରାଜ୍ୟରେ ମୁଖ୍ୟତଃ ଶୁଖିଲା ବା ବିକ୍ଷିପ୍ତ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ଗୁରୁବାର (ଦଶମୀ) ଦିନ ସକାଳ ବେଳା ସମସ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ (୩୦ ମିମି ପର୍ଯ୍ୟନ୍ତ) ବର୍ଷା ହୋଇପାରେ। ଉପରବେଳା ବର୍ଷା ବଢ଼ିବ ଓ ପ୍ରାୟ ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଆଭ୍ୟନ୍ତରୀଣ କଟକ, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳରେ ସ୍ଥାନେ ସ୍ଥାନେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼ ଓ ସଂଲଗ୍ନ ଅଞ୍ଚଳରେ ପାଗ ଶୁଖିଲା ରହିବ । ଏଥିସହ ଡ. ପଶୁପାଳକ କୃଷି ପରାମର୍ଶ ଦେଇ ଧାନରେ ଦ୍ବିତୀୟ ଶୀର୍ଷ ସାର ପ୍ରୟୋଗ ପାଇଁ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ।












Click it and Unblock the Notifications