୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ ; କିଛି ସମୟ ପରେ ହାତୀବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା' ସୁଭଦ୍ରା । ଗରାବଡୁ ସେବାୟତ ସୁନା କୂଅରୁ ଜଳ ଘେନି ଗୋଟିଏ ପରେ ଗୋଟିଏ ଗରା ଜଳ ଢାଳି ଦାରୁ ଦିଅଁଙ୍କୁ ଗାଧୋଇ ଦେଉଛନ୍ତି । ଭକ୍ତିମୟ ଶ୍ରୀକ୍ଷେତ୍ର, ଲୋକାରଣ୍ୟ ବଡ଼ଦାଣ୍ଡ । ଜୟ ଜଗନ୍ନାଥ, ହରିବୋଲରେ କମ୍ପୁଛି ଚତୁର୍ଦ୍ଦିଗ ।

ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଦର୍ଶନ କରି କୃତ କୃତ ହୋଇଛନ୍ତି ହଜାର ହଜାର ଭକ୍ତ । ସ୍ନାନ କରିବା ପରେ ଭକ୍ତଜନଙ୍କୁ ହାତୀବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ସେହି ସ୍ନାନବେଦିରେ ଶ୍ରୀଜିଉମାନଙ୍କର ହାତୀ ବେଶ ବା ଗଜାନନ ବେଶ କରାଯିବ । ତେବେ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ ହୋଇଛି ।
ଏହାପରେ ସାଢେ ୩ଟାରେ ଛେରା ପହଁରା ହୋଇ ୪ଟା ୩୦ ମଧ୍ୟରେ ଶ୍ରୀଜିଉଙ୍କ ହାତୀବେଶ ସମ୍ପନ୍ନ ହେବାର ରହିଛି । ପରେ ମହନ୍ତଶାଢ଼ି ବନ୍ଧା, ଦକ୍ଷିଣୀଘର ଭୋଗ ସରି ସନ୍ଧ୍ୟା ସାଢ଼େ ୭ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ । ରାତି ୧୧ଟାରେ ହାତୀ ବେଶ ଓଲାଗି ହୋଇ ରାତି ସାଢେ ୧୧ଟାରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ହେବ ।ତେବେ ଦିନ ୧୨ଟା ୨୦ରୁ ଗୋଟାଏ ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ହେବାରେ ଥିଲା । କିନ୍ତୁ ସ୍ନାନ ନୀତି ବିଳମ୍ବ ହୋଇଥିବାରୁ ଅନ୍ୟାନ୍ୟ ନୀତିକାନ୍ତି ବିଳମ୍ବ ହେବାର ଆଶଙ୍କା କରାଯାଉଛି ।












Click it and Unblock the Notifications