କାଲି ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ି ଯିବେ ଚତୁର୍ଦ୍ଧାମୂରତି, ଅପରାହ୍ନ ୪ଟାରେ ରଥଟଣା
ପୁରୀ: କାଲି ବାହୁଡ଼ା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ି ଯିବେ ଚତୁର୍ଦ୍ଧାମୂରତି । ତେବେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି ।
ବୁଧବାର ଭୋର ୪ଟାରେ ମଙ୍ଗଳ ଆଳତୀ, ଭୋର ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି, ରୋଷହୋମ, ୫ ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧ଟା ୩୦ ସେନାପଟା ଲାଗି, ୧୧ଟା ୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨ଟା ୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

ସେପଟେ ଆଜି ନବମୀ ତିଥିରେ ଲକ୍ଷାଧିକ ଭକ୍ତ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଏବର୍ଷର ଶେଷ ଦର୍ଶନ କରିଛନ୍ତି। ଏଥର ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୫ଟା ପରେ ବନ୍ଦ କରି ଦିଆଯାଇଥିବାରୁ ବହୁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏଣେ ସନ୍ଧ୍ୟାଦର୍ଶନ ସରିବା ପରେ ଗୁଣ୍ଡିଚା ଘର ଗର୍ଭଗୃହରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ନୀତି। ପହଣ୍ଡି ସହ ରଥାରୁଢ଼ ହେବାକୁ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଗୁପ୍ତରେ ବାହୁଟକଣ୍ଟ ଓ ସେନାପଟା ଲାଗି ନୀତି ସହ ଚାରମାଳ ବନ୍ଧା ନୀତି ରାତିତମାମ ଚାଲିବ।
ଅନ୍ୟପଟେ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବୁଧବାର ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗହଳିକୁ ନଜରରେ ରଖି ପ୍ରଶାସନ ପକ୍ଷ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭକ୍ତମାନେ କିପରି ସୁରୁଖୁରୁରେ ମହାବାହୁଙ୍କ ଦର୍ଶନ କରିବା ସହ ରଥ ଟାଣିପାରିବେ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଅନ୍ୟପଟେ ବୁଧବାର ବାହୁଡ଼ା ପରେ ୨୯ ତାରିଖ ଗୁରୁବାର ଦିନ ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ ରଥଉପରେ ସୁନାବେଶ କରାଯିବ ଏବଂ ୩୦ ତାରିଖ ଶୁକ୍ରବାର ଦିନ ଦ୍ୱାଦଶୀରେ ଅଧରପଣା ଭୋଗ ହୋଇ ଶନିବାର ନିଳାଦ୍ରୀବିଜେରେ ଠାକୁରମାନେ ରଥ ଉପରୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications